କଟକ,୧୮/୦୯: କଟକ କମିସନରେଟ୍ ପୁଲିସ ଅପରାଧୀଙ୍କୁ ଦମନ କରିବା ପାଇଁ ‘ଦାଦାବଟିକୁ ନା’ ଅଭିଯାନ | ଏବେ ପାର୍ବଣ ଋତୁ ଆରମ୍ଭ ହୋଇଛି । ପେସାଦାର ଅପରାଧୀଙ୍କୁ ଦମନ କରିବା ପାଇଁ କଟକ କମିସନରେଟ୍ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ‘ଦାଦାବଟିକୁ ନା’ ଅଭିଯାନ । ଦାଦାବଟି ଆଦାୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପୁଲିସ ଘୋଷଣା କରିବା ସହ ଏନେଇ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବିଶେଷ କରି ଅଭିଯୋଗକାରୀଙ୍କ ପରିଚୟକୁ ଗୋପନରେ ରଖି ଅପରାଧୀଙ୍କୁ ଗିରଫ କରିବା ଲକ୍ଷ୍ୟରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରା ଯାଇଥିଲା । ଗତବର୍ଷର ସଫଳତା ପରେ ‘ଦାଦାବଟିକୁ ନା’ ଅଭିଯାନକୁ ଚଳିତ ପାର୍ବଣରେ ଆହୁରି ଜୋରଦାର କରିବାକୁ କଟକ ପୁଲିସ ନିଷ୍ପତ୍ତି ନେଇଛି । ଏହି ଅନୁସାରେ ସହରର ସବୁ ଥାନାକୁ ଆଲର୍ଟ କରାଯାଇଛି । ଏହି ସମୟରେ କିଛି ପେସାଦାର ଅପରାଧୀ ସହରରେ ଥିବା ବ୍ୟବସାୟୀ, ଠିକାଦାର ଓ ଅଫିସରମାନଙ୍କୁ ଧମକ ଚକମ ଦେଇ ଦାଦାବଟି ଆଦାୟ କରନ୍ତି । ପ୍ରତିବର୍ଷ ଏନେଇ ଅଳ୍ପ କିଛି ସୂଚନା ପୁଲିସ ନିକଟକୁ ଆସେ । କିନ୍ତୁ ଗତ ବର୍ଷ କମିସନରେଟ୍ ପୁଲିସ ଏହି ଦାଦାବଟି ଆଦାୟକୁ ଗୁରୁତ୍ୱ ଦେଇଥିଲା । ବଟି ଆଦାୟ ପୂରା ବନ୍ଦ କରିବାକୁ ‘ଦାଦା ବଟିକୁ ନା’ ଅଭିଯାନ ଆରମ୍ଭ କରା ଯାଇଥିଲା । ଯେଉଁ କିଛି ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ପେସାଦାର ଅପରାଧୀମାନେ ବଟି ପାଇଁ ହଇରାଣ ହରକତ କରିଥାନ୍ତି ସେମାନଙ୍କୁ ଅପରାଧୀଙ୍କ ଦାଉରୁ ଦୂରେଇ ରଖିବା ପାଇଁ ବିଶେଷ ଯୋଜନା କରାଯାଇଥିଲା । ଖାସ୍ କରି ବଟି ପାଇଁ ଧମକ ପାଉଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯାଇ ଯୋଜନା ଲାଗୁ କରିବାକୁ ଗତବର୍ଷ ନିଷ୍ପତ୍ତି ହୋଇଥିଲା । ଏଥିରେ ଗତବର୍ଷ ପୁଲିସକୁ ଢେର ସଫଳତା ମିଳିଥିଲା । ବହୁ ପେସାଦାର ଅପରାଧୀ ପୁଲିସ ହାତରେ ଗିରଫ ହୋଇ ଜେଲ୍ ଗଲେ । ଯୋଜନାକୁ ଦଶହରା ସମୟରୁ ବାଲିଯାତ୍ରା ପର୍ଯ୍ୟନ୍ତ ଜୋରଦାର କରାଗଲା । ଫଳରେ କିଛି ଅପରାଧୀ ସହର ଛାଡ଼ି ଚମ୍ପଟ ମାରିଲେ । ଏହା ମଧ୍ୟରେ ପୁଣି ପାର୍ବଣ ଆସିଛି । ତେଣୁ ଚଳିତ ବର୍ଷ ମଧ୍ୟ ଏହି ଯୋଜନା ଅଧୀନରେ ପେସାଦାର ଅପରାଧୀଙ୍କୁ ସାବାଡ୍ କରିବାକୁ ନିଷ୍ପତ୍ତି ହୋଇଛି । ପାର୍ବଣ ପୂର୍ବରୁ ଏବେ ଥାନାୱାରୀ ପ୍ରସ୍ତୁତ ହୋଇଥିବା ଅପରାଧୀଙ୍କ ତାଲିକା ଉପରେ ନଜର ରଖାଯାଇଛି । ସେହି ଅପରାଧୀମାନେ ଯଦି କାହାକୁ ବଟି ପାଇଁ ଚାପ ପକାଉଛନ୍ତି ତାହାଲେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ପୁଲିସ ସାଧାରଣ ଜନତାଙ୍କଠାରୁ ସହଯୋଗ ଲୋଡ଼ିଛି । ଯେଉଁଠି ବି ପେସାଦାର ଅପରାଧୀ, ସାହି ବା ପୂଜା କମିଟି ମୁରବି କିମ୍ବା ଗ୍ୟାଙ୍ଗଷ୍ଟର ଦାଦାବଟି ମାଗୁଛନ୍ତି ତାହାଲେ ତୁରନ୍ତ ପୁଲିସ ନିକଟରେ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହି ଘଟଣାରେ ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବ ବୋଲି ପୁଲିସ କହିଛି । ଏହା ଦ୍ୱାରା କଟକରୁ ଦାଦାବଟି ଆଦାୟ ସଂପୂର୍ଣ୍ଣ ଭାବେ ମୂଳୋତ୍ପାଟନ ହୋଇ ପାରିବ ଡିସିପି ପ୍ରତୀକ ସିଂହ ଆଶା ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |