ଭୁବନେଶ୍ୱର,୨୨।୧: ଆଜି କଟକ- ଭୁବନେଶ୍ୱରର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କଟକ – ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ପରିଲକ୍ଷିତ ହୋଇଛି। ରାସ୍ତାରେ ୨୦ରୁ ୩୦ ମିଟର ଯାଏଁ ଦୂରକୁ ଦେଖିବା କଷ୍ଟକର ହୋଇପଡ଼ିଛି। ଏହାଫଳରେ ଗାଡ଼ି ଚଳାଚଳ ଏବଂ ଯାତାୟତରେ ସମସ୍ୟା ଉପୁଜୁଛି। ତାହାସହ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ହୋଇଛି । ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ ରାତିର ତାପମାତ୍ରା ବୃଦ୍ଧି ପାଇଛି । ହେଲେ ଘନକୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।ସୂଚନାଯୋଗ୍ୟ, ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ଆଗାମୀ ୨ଦିନ ରାଜ୍ୟର ଉପକୂଳରୁ ନେଇ ଉପାନ୍ତ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଘନକୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଥିଲା। ଚଳିତ ବର୍ଷ ଜାନୁଆରି ମାସରେ ଅଧିକ ମାତ୍ରାରେ ଘନକୁହୁଡ଼ି ହେଉଥିବାରୁ ଓଡ଼ିଶାରେ ଅଧିକାଂଶ ଟ୍ରେନ୍ ବିଳମ୍ବରେ ଚାଲୁଥିବାର ବି ପରିଲକ୍ଷିତ ହେଉଛି। ଘନ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଦୁର୍ଘଟଣା ରୋକିବାକୁ ପୁଲିସ ଓ ପରିବହନ ଅଧିକାରୀମାନେ ଗାଡ଼ି ପରିଚାଳନା ଉପରେ ଗୁରୁତ୍ୱ ଦେବେ। ରାସ୍ତା ଦୁର୍ଘଟଣା ଏଡ଼ାଇବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଏସ୍ଆରସିଙ୍କ ପକ୍ଷରୁ ପୂର୍ବରୁ ନିର୍ଦେଶ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |