କ’ଣ କରିବେ ନରହରି ? ଗାଁରେ ଘର ନାହିଁ, ଭୁବନେଶ୍ୱରରେ ବନ୍ଧାପଡ଼ିଛି ଭଡାଘର

ମହାକାଳପଡ଼ା,୧୩/୦୬– ମହା ରାକ୍ଷସ ଭଳିକାୟା ମେଲାଇ ଚାଲିଥିବା କରୋନା ଗର୍ଭରେ ବିଶ୍ୱ ଅର୍ଥନୀତି ଏକପ୍ରକାର ଫସି ଯାଇଛି । ଲୋକେ ମୃତୁ ମୁଖରେ ପଡ଼ୁଛନ୍ତି । ଔଷଧବି କାମ କରୁନି । ବିଜ୍ଞାନ ଏଠି ହାର ମାନିଛି । ଗୋଟିଏ ଗୋଟିଏ କରୋନା ରୋଗୀକୁ ଚିକିତ୍ସା ପାଇଁ ସ୍ଥଳ ବିଶେଷରେ କୋଟିଏ ଟଙ୍କା ଲାଗୁଛି । କରୋନାର ବିସ୍ତାରକୁ ରୋକିବା ପାଇଁ ସରକାର ଲକ୍‌ଡାଉନ୍ ଭଳି ଅମୋଘ ଅସ୍ତ୍ର ପ୍ରୟୋଗ କରିଛନ୍ତି । କିନ୍ତୁ ଏହି ଅମୋଘ ଅସ୍ତ୍ର ଲକ୍‌ଡାଉନ୍‌ରେ ଟଳିପଡ଼ିଛନ୍ତି ନରହରି ପାଣି । ଗାଁ ଭିଟାମାଟି ଇଟାକଣ୍ଡିଆକୁ ଛାଡ଼ି ଭୂବନେଶ୍ୱରରେ କିଛିବର୍ଷ ହେବ ବିଭିନ୍ନ ଦୋକାନରେ ଫୁଲ ଦେଇ ଠାକୁରପୂଜା କରି ଚଳୁଥିଲେ । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ୨ ବର୍ଷର ଝିଅ ଓ ୭ ବର୍ଷର ପୁଅ । ଠାକୁରପୂଜାରୁ ଯାହା ମିଳେ କଷ୍ଟେମଷ୍ଟେ ପରିବାର ଚଳିଯାଏ । କିନ୍ତୁ ଗତବର୍ଷ ଠାରୁ ଏହି କରୋନା ବିପତି ପରିବାରକୁ ଉଜାଡ଼ି ଦେଇଛି । ଘର ଭଡ଼ା ୩୦ହଜାର ବାକି । ମାଲିକ ନୋଛଡ଼ବନ୍ଧା । ତୁମ ବ୍ୟବସ୍ଥା ତୁମେ କର । ଭଡ଼ା ନଦେଇ ପାରିବାରୁ ଜିନିଷ ବନ୍ଧା ପଡ଼ିଲ।। ଏଣେ ଗାଁରେ ଘର ନାହିଁ । କ’ଣ କରିବେ ନରହରି । ଶେଷରେ ପିଲାଛୁଆଙ୍କୁ ଧରିଆଣି ଗାଁରେ ପହଂଚିବା ପରେ ନିଜେ ଗାଁ ମୁଣ୍ଡରେ ଥିବା କମ୍ୟୁନିଟି ସେଂଟର ପିଣ୍ଡାରେ ପଡ଼ିରହିଛନ୍ତି । ପିଲାଛୁଆ ଓ ସ୍ତ୍ରୀ ତାଙ୍କ ଶ୍ୱଶୁର ଘରେ । ଗାଁ ଗହଳିରୁ ମାଗିଯାଚି ରୋଷେଇ କରି କଷ୍ଟେମଷ୍ଟେ ଗଣ୍ଡା ସେମିତି ଖାଇବାକୁ ପଡ଼ୁଛି । ପୈତୃକ ଘର ଦୁଇବଖରା ଥିଲା । ଭାଗବଂଟା ବେଳେ ସାନଭାଇ ବାଂଟରେ ଏହି ଘର ପଡ଼ିଥିଲା । ତେବେ ସରକାରୀ ସହାୟତା ଅପେକ୍ଷାରେ ଏବେ ଚାହିଁ ବସିଛନ୍ତି ନରହରିଙ୍କ ପରିବାର । ବଢ଼ିହ ପଂଚାୟତ ଇଟାକଣ୍ଡିଆ ଗ୍ରାମରେ ନରହରି ପାଣି ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମ । ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିବାରୁ ଦୁଇପଇସା ରୋଜଗାର କରିବା ଲକ୍ଷ୍ୟରେ ଭୂବନେଶ୍ୱରକୁ ଯାଇଥିଲେ । ଆଶାଥିଲା ଭୂବନେଶ୍ୱରରେ ରହି ପିଲାଛୁଆଙ୍କୁ ପାଠ ପଢ଼ାଇବେ, ଗଣ୍ଡେ ଖାଇବାକୁ ଦେବେ । କିନ୍ତୁ କରୋନା ଭଳି ଦୂରାରୋଗ୍ୟ ନରହରିଙ୍କ ପରିବାର ପାଇଁ ବଇରୀ ସାଜିଛି । ମାସମାସ ଧରି ଭୂବନେଶ୍ୱର ସହର ବନ୍ଦ ରହିଲା । ବିକଳ୍ପ ରୋଜଗାର କିଛି ନାହିଁ । ବାଧ୍ୟ ହୋଇ କେତେଦିନ ଭୂବନେଶ୍ୱରରେ ଓଳିଏ ଖାଇ ଦିନମାନ ବଂଚିବେ । ଯାହା ଥିଲା ସଂଚିତ ଅର୍ଥ ସରିଗଲା ।ଭୂବନେଶ୍ୱର ଭଳି ସହରରେ କିଏବା ନରହରିଙ୍କୁ ଆଉ ବାକିଦେବ । ଶେଷକୁ ବାଧ୍ୟ ହୋଇ ଭିଟାମାଟିକୁ ଫେରି ଆସିଲେ । କିନ୍ତୁ ଅବସ୍ଥାରେ ପରିବର୍ତନ ଘଟିଲା ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: