ରାଜକନିକା,୨୮/୧୧:ଅଗଣିତ ଗ୍ରାମ ସହରକୁ କୋଳରେ ଧରି କାହିଁ କେଉଁ ଅନାଦି କାଳରୁ ଗଢ଼ି ଉଠିଛି ଗ୍ରାମ ବହୁଳ ଓଡ଼ିଶା । ମ ଣିଷ ସଂଘବଦ୍ଧ ଜୀବନକୁ ଯେଉଁ ଦିନ ପସନ୍ଦ କଲା,ସେହି ଦିନ ଠାରୁ ଗାଁ ସ୍ୃଷ୍ଟି ହେଲା । ବଣ, ପାହାଡ଼ ଘେରା ଏହି ଓଡ଼ିଶା ମାଟିରେ କେତେ ଗାଁ ଯେ ଜନ ସମାଜର ସୁଖ ସଂସାରର ପ୍ରାଣକେନ୍ଦ୍ର ହୋଇ ହସିଉଠୁଛି ତାହାର କଳନା ନାହିଁ । ହେଲେ ସେହି ଅଗଣିତ ଗାଁ ମାନଙ୍କ ମଧ୍ୟରୁ ଏମିତି ଏକ ଗାଁଟିଏ ଅଛି,ଯେଉଁ ଗାଁକୁ କେବେହେଲେ ଚୋର ଚୋରି କରିବାକୁ ଆସିନାହିଁ କି କେବେ ପୋଲିସ କୌଣସି ମୋକଦ୍ଦମା ପାଇଁ ଯାଇ ନାହିଁ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ,ଏଇ ଗାଁର କୌଣସି ଘରେ କବାଟ ନାହିଁ । ଲୋକମାନଙ୍କର ବିଶ୍ୱାସ ଯେ, ମା’ଖରାଖାଇ କବାଟ ଭଳି ଜଗିରହିଛନ୍ତି ସମସ୍ତଙ୍କ ଦୁଆରକୁ । କେନ୍ଦ୍ରାପଡ଼ା ଜିଲ୍ଲାର ଉତ୍ତର ଦିଗକୁ ଗଲେ ପଡ଼େ ଓଡ଼ିଶାର ଏøତିହ୍ୟପୂର୍ଣ୍ଣ ବ୍ଲକ୍ ରାଜକନିକା । ରାଜକନିକାର ସଦର ମହକୁମାର କଟକ-ଚାନ୍ଦବାଲି ରାସ୍ତାର ପୂର୍ବ ଦିଗକୁ ୩ କିଲୋମିଟର ଗଲେ ପଡ଼େ ଏଇ କବାଟ ନଥିବା ଗାଁ ସିଆଳିଆ । ୪୮ ଗୋଟି ପରିବାରଙ୍କ ଛୋଟବଡ଼ ଚାଳଛପର ଘର ସହିତ କୋଠା ଘର ଗୁଡ଼ିକ ଲମ୍ବି ରହିଛି । ଗାଁର ଉତ୍ତର ଦିଗକୁ ଶେଷମୁଣ୍ଡରେ ପ୍ରସିଦ୍ଧ ଗ୍ରାମଦେବତୀ ମା’ ଖରାଖାଇଙ୍କ ପୀଠସ୍ଥଳୀ । ଖରାଖାଇଙ୍କ ଆସ୍ଥାନ ଚତୁର୍ଦ୍ଦିଗରେ ଭରିରହିଛି ଅନେକ ପ୍ରକାରର ବୃକ୍ଷଲତା । କି ଖରା କି ବର୍ଷା ସବୁ ସମୟରେ ମା’ଖରାଖାଇ ସେମିତି ଛାତ ବିହୀନ ମୁକ୍ତ ଆକାଶ ତଳେ ପୂଜା ପାଉଛନ୍ତି । ସେଥିପାଇଁ ମା’ଙ୍କ ନାମ ଖରାଖାଇ ଠାକୁରାଣୀ ବୋଲି ଲୋକେ କହିଆସୁଛନ୍ତି । ଏହି ଗାଁ ସହିତ ବିଭିନ୍ନ ଗ୍ରାମର ଲୋକମାନଙ୍କର ଠାକୁରାଣୀଙ୍କ ଉପରେ ରହିଛି ପ୍ରଗାଢ଼ ଭକ୍ତି ଓ ବିଶ୍ୱାସ । କାହିଁ କେଉଁ ଅନାଦି କାଳରୁ ନାନା ବିପଦ ଆପଦରେ ସୁଖ ଦୁଃଖର ସାହା ହେଉଛନ୍ତି ଏଇ ପ୍ରତ୍ୟେକ୍ଷ ଠାକୁରାଣୀ । ଯାହାଙ୍କ ଉପରେ ଭରସା ରଖି ସରଳ ସୁଖ ଆନନ୍ଦଭରା ଜୀବନ ଯାପନ କରି ଆସୁଛନ୍ତି ଗ୍ରାମବାସୀ ମାନେ । ସାରା ଗ୍ରାମବାସୀଙ୍କ କାହାରି ଘରେ କବାଟ ନାହିଁ କି ଦୁଆର ବନ୍ଦ ନାହିଁ । କି ଧନୀ କି ଗରିବ ସମସ୍ତେ ଏକ ଆଦର୍ଶ ପରମ୍ପରାର ଅନୁଗାମୀ । ଆଜିର ଆଧୁନିକ ଯୁଗରେ ଯେ,କେହି ଏକଥା ଶୁଣିଲେ ସହଜରେ ବିଶ୍ୱାସ କରିପାରିବ ନାହିଁ । ଏଇ ଗାଁରେ କୌଣସି ଦିନ ବାଦବିବାଦ କିମ୍ବା ସାମୟିକଭାବେ କଳହ ଦେଖାଦେଲେ ତାହା ସେହି ଗ୍ରାମରେ ହିଁ ତୁଟିଯାଏ । କବାଟ ନଥିଲେ ମଧ୍ୟ ଗାଁରେ କେବେ କାହା ଘରୁ ଚୋରି ହୁଏ ନାହିଁ । ପୋଲିସ କେବେ ସେହି ଗ୍ରାମ କୁ ଯାଇନାହିଁ । ଏ ପର୍ଯ୍ୟନ୍ତ କୋର୍ଟ କଚେରୀରେ କୌଣସି ମକଦ୍ଦମା ହୋଇନାହିଁ । ସବୁଠୁ ବଡ଼ କଥା ଯେ, ଏଇ ଗାଁ କୁ ଆସୁଥିବା ନୂଆ ବୋହୂମାନେ ସେମାନେ ଆଣିଥିବା ସୁନାରୂପାର ଗହଣାର ବାକ୍ସ ଗୁଡ଼ିକ ମଧ୍ୟ ବିନା କୋଲପରେ ରହିଥାଏ । କେବଳ କୁକୁର ବିଲେଇ ଙ୍କ ପାଇଁ ସମସ୍ତ ଦୁଆର ମୁହଁରେ ଖଣ୍ଡେ ଖଣ୍ଡେ ବାଉଁଶର ତାଟିକୁ ଆଉଜେଇ ଦିଅନ୍ତି । କୋଠା ଘର ଗୁଡ଼ିକରେ ଲୁହାର ଗ୍ରୀଲ ଦେଇ ବନ୍ଦ କରନ୍ତି । ପ୍ରତି ମଙ୍ଗଳବାର ଓ ଶନିବାରମା’ଙ୍କ ନିକଟରେ ପ୍ରବଳ ଭିଡ଼ ହୁଏ । ମା’ଙ୍କ ପାଦୁକା ପାନ କରି ଲୋକମାନେ ବିଭିନ୍ନ ପ୍ରକାର ରୋଗ ରୁ ମୁକ୍ତି ପାଉଛନ୍ତି । ଏହା ସହିତ ମା’ଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହେଉଥିବାର ଲୋକମାନେ କହନ୍ତି । ଫଳରେ ମାନସିକ ପୂରଣ ପରେ ମା’ଙ୍କ ନିକଟରେ ମାଟି ଘୋଡ଼ା ଅର୍ପଣ କରି ଭୋଗ କରନ୍ତି । ବର୍ତ୍ତମାନ ଏହି ପୀଠର ଚାରିକଡ଼଼ରେ ରହିଛି ଲକ୍ଷାଧିକ ମାଟି ଘୋଡ଼ା । ଯାହାକି ଭକ୍ତମାନଙ୍କର ମନସ୍କାମନା ପୂରଣ ହେଉଥିବାର ଏଥିରୁ ଜଣାଯାଏ । କାର୍ତ୍ତିକ ପୂର୍ଣ୍ଣିମା, ପଣାସଂକ୍ରାନ୍ତି, ରଜ ସଂକ୍ରାନ୍ତିରେ ପ୍ରବଳ ଭିଡ଼ ଲାଗିରହିଥାଏ । ମା’ଙ୍କ ଏହିସବୁ ପର୍ବପର୍ବାଣିରେ ଯଜ୍ଞ ସହିତ ସ୍ୱତନ୍ତ୍ର ପୂଜାଉତ୍ସବ ଅନୁଷ୍ଟିତ ହୁଏ । ଏହି ଉତ୍ସବ ଦେଖିବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ସିଆଳିଆ ଆସନ୍ତି । ଏହା ସହିତ ବର୍ଷ ସାରା ଦେଶ ବିଦେଶର ଶହ ଶହ ପର୍ଯ୍ୟଟକମାନେ ଏହି କବାଟ ନଥିବା ଗାଁକୁ ବୁଲିଆସୁଛନ୍ତି । ହେଲେ ଓଡ଼ିଶାର ଏକ ବିରଳ ଗ୍ରାମକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନର ମାନ୍ୟତା ପ୍ରଦାନ କରିନାହାଁନ୍ତି । ଏଭଳି ଗାଁକୁ ପର୍ଯ୍ୟଟନ ମାନଚିତ୍ରରେ ଆଜି ପର୍ଯ୍ୟନ୍ତ ସ୍ଥାନ ପାଇପାରି ନାହିଁ । ଏହି କାରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । କଟକ-ଚାନ୍ଦବାଲି ରାସ୍ତାରେ ଏହି ଗ୍ରାମକୁ ଯାଇଥିବା ରାସ୍ତାରେ ମଧ୍ୟ ସୂଚନା ଫଳକ ନାହିଁ । ମା’ଙ୍କ ପୀଠରେ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ କୌଣସି ଘର ନଥିବା ବେଳେ ପାନୀୟ ଜଳ, ଶୌଚାଳୟ ସହିତ କୌଣସି ସୁବିଧା ନଥିବାର ଜଣାପଡ଼ିଛି । ପର୍ଯ୍ୟଟନର ଭିତ୍ତିଭୂମି ରହିଥିଲେ ମଧ୍ୟ ରାଜ୍ୟ ସରକାର କେଉଁ କାରଣରୁ ଏଭଳି ନିଆରା ଗାଁର ଉନ୍ନତି ସହିତ ପର୍ଯ୍ୟଟନର ମାନ୍ୟତା ନଦେବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । ସରକାର କେବେ ଏହି ଗାଁକୁ ପର୍ଯ୍ୟଟନର ମାନ୍ୟତା ଦେବେ ତାହାକୁ ଚାହିଁ ରହିଛନ୍ତି ସ୍ଥାନୀୟ ଅଧିବାସୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |