କେନ୍ଦ୍ରାପଡ଼ା,୩ା୯: ଓଡିଶାର ଅଗଣିତ ମଞ୍ଚ ଓ ସଙ୍ଗୀତ କଳାକାରମାନଙ୍କ ଜୀବନ ଜୀବିକାର ପୁର୍ନରୁଦ୍ଧାର ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଖିଳ ଓଡିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ (ଓମାୱା)ପକ୍ଷରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇ ତାହାର ନକଲ ସାଂସଦ ଶ୍ରୀ ମହାନ୍ତିଙ୍କୁ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା । ସାଂସଦ ଶ୍ରୀ ମହାନ୍ତି ନିଜେ ଜଣେ କଳାକାର ହୋଇଥିବାରୁ ସେ କଳାକାରମାନଙ୍କ ପରିସ୍ଥିତିକୁ ଉପଲବ୍ଧି କରି ନିଜର ଦାୟିତ୍ୱବୋଧ ଓ ମାନବିକତା ଦୃଷ୍ଟିରୁ କଳାକାରମାନଙ୍କ ଦୁର୍ଦ୍ଦିନ ସମୟରେ ସେମାନଙ୍କୁ ସରକାରୀ ସହାୟତା ଯୋଗଇ ଦେବା ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏଥି ସହିତ ସାଂସଦ ଶ୍ରୀ ମହାନ୍ତି ନିବେଦନ ପତ୍ରର ନକଲ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କୁ ପଠାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଥିବା ଜଣାପଡିଛି । ସାଂସଦ ଶ୍ରୀ ମହାନ୍ତିଙ୍କ ବିଶାଳ ହୃଦୟ ଓ ଉଚ୍ଚକୋଟିର କଳାକାର ପଣିଆର ଏହା ଜ୍ୱଳନ୍ତ ଉଦାହରଣ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |