ମାଲକାନଗିରି, ୧୨/୦୬(ଶ୍ରୀନିବାସ ପଣ୍ଡା):-ମାଲକାନଗିରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ତଥା ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ଠାରୁ ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ସମସ୍ତେ କଳା ବ୍ୟାଜ ପରିଧାନ କରି ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର ବିଭିନ୍ନ ଦାବି ପୁରାଣକୁ ନେଇ ସଂଘ ଏହିଭଳି କଳା ବ୍ୟାଜ ପିନ୍ଧି ନିଜ ଦାବି ପୂରଣ କରିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ରାଜ୍ୟରେ ବଢୁଥିବା ଏହି କରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ନିଜର ଜୀବନକୁ ବାଜି ଲଗାଇ ଦିନ ରାତି ମେଡିକାଲରେ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅଣଦେଖା କରୁଥିବା ନେଇ ରାଜ୍ୟ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। କୋଭିଡରେ ମୃତ୍ୟୁ ବରଣ କରିଥିବା ଫାର୍ମାସିଷ୍ଟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ, ଖାଲି ପଡିଥିବା ପଦବୀ ପୂରଣ କରିବା, ଦରମା କ୍ଷେତ୍ରରେ ଥିବା ଅସଂଗତି ଦୂର କରିବା, ପଦୋନ୍ନତି ପାଇବାକୁ ଯୋଗ୍ୟ ଥିବା ଫାର୍ମାସିଷ୍ଟ ମାନଙ୍କୁ ତୁରନ୍ତ ପଦୋନ୍ନତି ପ୍ରଦାନ କରିବା ଇତ୍ୟାଦି ଦାବି ପୂରଣ ନେଇ ଗତକାଲି ଠାରୁ ସମସ୍ତ ଫାର୍ମାସିଷ୍ଟ ମାନେ କଳା ବ୍ୟାଜ ପିନ୍ଧିଥିଲେ। ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ଚଳିତ ମାସ ୨୦ ତାରିଖ ଠାରୁ ଫାର୍ମାସିଷ୍ଟ ମାନେ କେବଳ ଔଷଧ ବିତରଣ ବ୍ୟତୀତ ଅନ୍ୟ କୌଣସି ପ୍ରକାର କାର୍ଯ୍ୟ କରିବେ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଜିଲ୍ଲା ସଂଘର ସଭାପତି ସତବୀର ସିଂହ, ଜିଲ୍ଲା ସମ୍ପାଦକ ଅଶୋକ ସାହୁ ଏବଂ କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ମଦନ ମୋହନ ପାଢ଼ୀ ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |