ନବରଙ୍ଗପୁର,୨୨/୦୯(ମିହିର ଶଙ୍କର ପାତ୍ର):ଡାବୁଗାଁ ବ୍ଲକର ବରିଷ୍ଠ ଯୁବନେତା ନରେଶ ସିଂ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜିଲ୍ଲା ବିଜେପି ରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଆହୁରି ଅଧିକ ଜଟିଳ ହେବାରେ ଲାଗିଛି। ଏଥି ପାଇଁ ସିଧାସଳଖ ସେ ଜିଲ୍ଲା ସଭାପତି ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଙ୍କୁ ଦାୟୀ କରିଛନ୍ତି। ଦଳରେ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁତ୍ବ ଦିଆ ଯାଉନାହିଁ ଏବଂ କେବଳ କାଗଜ କଲମରେ ଦଳ ଚାଲିଛି ବୋଲି ସେ ତାଙ୍କ ଇସ୍ତଫା ପତ୍ର ରେ ଲେଖିଛନ୍ତି। ଚାଟୁକାରିତା କଲେ ପଦବୀ ମିଳେ ଅର୍ଥାତ୍ ଦଳ ପ୍ରକୃତ କାର୍ଯ୍ୟକର୍ତ୍ତା ବଦଳରେ ଚାମଚାଗିରି କରୁଥିବା ଲୋକଙ୍କୁ ଗୁରୁତ୍ବ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ନେତୃବୃନ୍ଦ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସେ ଜିଲ୍ଲା ସଭାପତି ଏବଂ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଙ୍କୁ ଇସ୍ତଫା ପତ୍ର ଦେଇଥିବା ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି। ଜିଲ୍ଲାରେ ଦେଖା ଦେଇଥିବା ଗୋଷ୍ଠୀ କନ୍ଦଳ ର ପ୍ରଭାବ ଡାବୁଗାଁ ବିଜେପିରେ ପଡୁଥିବା କଥା କୁ ସେ ସାମ୍ବାଦିକ ମାନଙ୍କୁ କରିଛନ୍ତି। ନୂତନ ଜିଲ୍ଲା ସଭାପତି ଙ୍କ ଦାୟିତ୍ଵ ଗ୍ରହଣ ପରେ ଗୋଷ୍ଠୀ କନ୍ଦଳ ବଢ଼ିଥିବା ସେ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ବିଜେପି ନେତା ମାନଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ୍ କରିବାପରେ କିଛି ଜଣଙ୍କ ଫୋନ ବନ୍ଦ ଥିଲା ଏବଂ ଜଣେ ପ୍ରତିକ୍ରିୟା ଦେବା ପାଇଁ ମନାକରି ଥିଲେ। ବିଜେପିର ବିଚାରଧାରାକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀ ମାନେ ଏହାକୁ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ବୋଲି ବର୍ଣ୍ଣନା କରିଥିଲେ। ସେମାନଙ୍କ କହିବା ଅନୁସାରେ ଛୋଟ ନେତା ମାନଙ୍କ ସାମାନ୍ୟ ଭୁଲ ପାଇଁ ତ ଦଳରେ ସମୀକ୍ଷା ହେଉଛି କିନ୍ତୁ ଜିଲ୍ଲା ସ୍ତରରେ ହେଉଥିବା ମତଭେଦ ଏବଂ ଭୁଲ ସୁଧାରିବାକୁ ଚେଷ୍ଟା କରା ଯାଉନାହିଁ। ଦଳର ବରିଷ୍ଠ ତଥା ପୁରୁଣା ବ୍ୟକ୍ତି ମାନଙ୍କୁ ଦଳରେ ଅଣଦେଖା କରା ଯାଉଥିବା ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ନରେଶ ସିଂ ପୂର୍ବତନ ଜିଲା ଯୁବମୋର୍ଚ୍ଚା ଉପ-ସଭାପତି ତଥା ବର୍ତ୍ତମାନ ଯୁବମୋର୍ଚ୍ଚା ମିଡ଼ିଆ ସଂଯୋଜକ ଥିଲେ । ସେ ଜଣେ ଜିଦି ଏବଂ ନିଜ ନିର୍ଣ୍ଣୟ ରେ ସବୁବେଳେ ଅଟଳ ରହୁଥିବା ବ୍ୟକ୍ତି ହୋଇଥିବା କାରଣରୁ ଦଳକୁ ପୂନଃ ଫେରିବା ସଂଭାବନା କମ୍ ଥିବା ଆଶଙ୍କା କରାଯାଉଛି। ସେପ୍ଟେମ୍ବର ୨୨ ରେ ଡାବୁଗାଁ ବ୍ଲକରେ ହେଉଥିବା ଯୁବମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକର ଗୋଟିଏ ଦିନ ପୂର୍ବରୁ ଜଣେ ଯୁବ ନେତାଙ୍କ ଇସ୍ତଫା ଗୋଷ୍ଠୀ କନ୍ଦଳରେ ଆହତ ଥିବା ଜିଲ୍ଲା ବିଜେପିର ସ୍ଥିତି କୁ ସ୍ପଷ୍ଟ ଦର୍ଶାଉଛି। ନରେଶ ସିଂ ନିଜ ଇସ୍ତଫା ପତ୍ର କୁ ତାଙ୍କ ଫେସବୁକ ରେ ମଧ୍ୟ ପୋଷ୍ଟ କରି ଏହି କଥାକୁ ସ୍ପଷ୍ଟ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |