ପ୍ରତିଦିନ ଶହଶହ ଭକ୍ତଙ୍କ ଯନ୍ତ୍ରାଳ ଭୋଗ,ପର୍ଯ୍ୟଟନର ବିକାଶ ନାହିଁ
ରାଜକନିକା,୨୭/୧୧ : ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ୍ରେ ବହୁ ପ୍ରାଚୀନ ମନ୍ଦିର ରହିଥିଲେ ମଧ୍ୟ ପର୍ଯ୍ୟଟନର ବିକାଶ ହୋଇପାରୁ ନାହିଁ । ଶୀତ ଋତୁ ଆରମ୍ଭରୁ ଦେଶବିଦେଶର ଶହଶହ ପର୍ଯ୍ୟଟକ କେନ୍ଦ୍ରାପଡ଼ା ଜିଲାକୁ ବୁଲିଆସୁଛନ୍ତି । ବିଶେଷ କରି ଭିତରକନିକାକୁ ଆସୁଥିବା ବେଳେ ରାଜକନିକା ବ୍ଲକ୍ ମଧ୍ୟରେ ଯାତାୟତ ବେଳେ ଅନେକ ମଠପୀଠ ଏବଂ ଐତିହାସିକ କୀର୍ତ୍ତି ରାଜିକୁ ବୁଲି ଦେଖୁଛନ୍ତି । ହେଲେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ସୂଚନା ନଥିବା ବେଳେ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ହୋଇପାରିନାହିଁ । ଫଳରେ ପ୍ରତଦିନ ଶହଶହ ପର୍ଯ୍ୟଟକ ରାଜକନିକା ପରିଦର୍ଶନ କରୁଛନ୍ତି । ରାଜକନିକା ସଦର ଚନ୍ଦନପୋଖରୀ ଛକ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ଭିତରକନିକା ଯିବା ବାଟରେ ରହିଛି କାଳିକାପୁର ଛକ । ଏହି ଛକରୁ ମାତ୍ର ଦୁଇ ଶହ ମିଟର ଦୂରରେ ଓଡ଼ିଶାର ପ୍ରସିଦ୍ଧ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର । ଏହି ମନ୍ଦିରରେ ପୂଜା ପାଉଛନ୍ତି ମା’ କାଳିକାଈ । ମା’ଙ୍କ ଆର୍ବିଭାବ ସଂପର୍କରେ ଜନଶ୍ରୃତିରୁ ଜଣାଯାଏଯେ, ପ୍ରାୟ ୬ଶହ ବର୍ଷ ପୂର୍ବେ ଏହି ଅଞ୍ଚଳର ସୌଦାଗମାନେ ବଣିଜ ବେପାର କରିବାକୁ ନୈକା ଯୋଗେ ସୁଦୂର ଅଞ୍ଚଳକୁ ଯାତାୟତ କରୁଥିଲେ । ଏହି ମା’ଙ୍କ ମନ୍ଦିର ପଛପଟେ ଏକ ନଦୀ ପ୍ରବାହିତ ହେଉଥିଲା । ଗଙ୍ଗାଧର ନାମକ ଜଣେ ସୌଦାଗର ଚିଲିକାରୁ ଫେରୁଥିବା ବାଟରେ ମା’ କାଳିଜାଈଙ୍କ ପୀଠରୁ ଜଣେ ବାଳିକା ନୈକା ଉପରେ ବସିଯାଇଥିଲେ । ଗଙ୍ଗାଧରଙ୍କ ସହିତ ସେ ନୈକାରେ ବସି ଏହି ମନ୍ଦିର ନିକଟରେ ରହିଥିବା ନଦୀ ନିକଟରେ ପହଞ୍ଚିଯାଇଥିଲେ । ବିଦେଶରୁ ଆଣିଥିବା ଧନରତ୍ନକୁ ଆଣିବା ବେଳେ ଏକ ଅଲୌକିକ ଦୃଶ୍ୟ ଦେଖି ଚମକିଯାଇଥିଲେ । ନୈକା ପଥର ପାଲଟିଯାଇଥିବା ବେଳେ ଚିଲିକାରୁ ଆସିଥିବା ବାଳିକା ମଧ୍ୟ ପଥରପାଲଟିଥିଲେ । ରାତିରେ ଗଙ୍ଗାଧରଙ୍କୁ ସ୍ୱପ୍ନାଦେଶ ହେଲା । ମୁଁ କାଳିଜାଈର ଭଉଣୀ କାଳିକାଈ । ତୋର ଭକ୍ତିରେ ପ୍ରୀତି ହୋଇ ଏଠାକୁ ଚାଲିଆସିଛି । ତୁ ମୋର ପୂଜା ବ୍ୟବସ୍ଥା କର । ଏଭଳି ସ୍ୱପ୍ନାଦେଶ ପରେ ଗଙ୍ଗାଧର ସୌଦାଗର ମା’ଙ୍କ ପୂଜାଅର୍ଚ୍ଚନା ଆରମ୍ଭ କରିଥିଲେ । ସେହିଦିନ ଠାରୁ କାଳିକାଈଙ୍କ ନାମ ଅନୁସାରେ ଗାଁର ନାଁ କାଳିକାପୁର ହୋଇଥିବା ବେଳେ ତତ୍ସଲଗ୍ନ ଗାଁ ସୌଦାଗରଙ୍କ ନାମ ଅନୁସାରେ ଗଙ୍ଗାଧରପୁର ରହିଛି । ମା’ଙ୍କ ପୀଠରେ ଆମିଷ ଜନ୍ତ୍ରାଳ ଭୋଗ କରାଯାଉଛି । ଯାହାକି ପ୍ରତିଦିନ ଶହଶହ ପର୍ଯ୍ୟଟକମାନେ ମା’ଙ୍କ ନିକଟରେ ଜନ୍ତ୍ରାଳ ଭୋଗ ଲଗାଇ ଖାଉଛନ୍ତି । ଏହା ସହିତ ବିବାହ କାର୍ଯ୍ୟ ପାଇଁ ବର୍ଷ ସାରା ପ୍ରବଳ ଭିଡ଼ ଲାଗିରହୁଛି । କାଳୀପୂଜା, କାର୍ତ୍ତିକ ପୂର୍ଣ୍ଣମୀ, ନୂଆବର୍ଷରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଯାଏ । କାଳୀପୂଜାରେ ତିନିଦିନ ଧରି ଯଜ୍ଞ ହେବା ସହିତ ଚଣ୍ଡିପାଠ ହୋଇଥାଏ । ମା’ଙ୍କ ମନ୍ଦିର ନିକଟରେ ଏକ ବିରାଟ ବରଗଛ ରହିଛି । ଏହି ବରଗଛ ବହୁ ପୁରାତନ ଅଟେ । ଏହି ବରଗଛ ରାଜବାଟି ପଡ଼ିଆରୁ ଚାଲିଆସିଥିବାର ଗ୍ରାମବାସୀମାନେ କହନ୍ତି । ଏହି ବରଗଛକୁ ଭକ୍ତମାନେ ପୂଜାଅର୍ଚ୍ଚନା କରିଥାନ୍ତି । ପର୍ଯ୍ୟଟକ ବିଭାଗ ପକ୍ଷରୁ ଏହି ପୀଠର ଉନ୍ନତି ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରୁନଥିବା ବେଳେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଆଜି ପର୍ଯ୍ୟନ୍ତ ସ୍ଥାନ ପାଇପାରି ନାହିଁ । ଏହି କାରଣରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପାନୀୟ ଜଳ, ଆଲୋକୀକରଣ, ଶୌଚାଳୟ ନାହିଁ । ଭକ୍ତମାନଙ୍କ ରାତ୍ରୀଯାପନ ପାଇଁ ଘର ମଧ୍ୟ ନାହିଁ । ମନ୍ଦିର ରକ୍ଷଣାବ୍ୟକ୍ଷଣ ବ୍ୟବସ୍ଥା ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା ଗ୍ରହଣ କରୁନାହିଁ । ପୁରାତନ ଏହି ମନ୍ଦିରର ପ୍ରତି ପର୍ଯ୍ୟଟନ ବିଭାଗ ଏବଂ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଭକ୍ତମାନେ ଦାବି କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |