ନୂଆଦିଲ୍ଲୀ,୨।୩ : ନିର୍ବାଚନ ଆୟୋଗରେ କମିଶନରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ଼ ରାୟ ଦେଇଛନ୍ତି। ଜଷ୍ଟିସ ଜୋସେଫ କହିଛନ୍ତି ଯେ ବର୍ତ୍ତମାନ କେବଳ ରାଷ୍ଟ୍ରପତି ନିର୍ବାଚନ ଆୟୋଗରେ କମିଶନର ନିଯୁକ୍ତ କରିବେ। କିନ୍ତୁ ତାଙ୍କର ଚୟନ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ତଥା ପ୍ରଧାନ ବିଚାରପତିଙ୍କର ଏକ ମିଳିତ କମିଟି ଦ୍ୱାରା କରାଯିବ। ମୁଖ୍ୟ ନିର୍ବାଚନ କମିଶନର୍ (ସିଇସି) ଏବଂ ନିର୍ବାଚନ କମିଶନର୍ (ଇସି) ଙ୍କ ନିଯୁକ୍ତି ପାଇଁ କଲେଜିୟମ୍ ଭଳି ବ୍ୟବସ୍ଥା ସୃଷ୍ଟି କରିବାକୁ ଚାହୁଁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି । ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି। ରାୟରେ ଏହି ବେଞ୍ଚ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩-ଜଣିଆ କମିଟି ଗଠନ କରାଯିବ । ଯେଉଁମାନେ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ଙ୍କୁ ଚୟନ କରିବେ । ତେବେ ନିଯୁକ୍ତି ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ରହିବ।ଏହି ଖଣ୍ଡପୀଠରେ ଜଷ୍ଟିସ ଅଜୟ ରସ୍ତୋଗି, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହ୍ରିକିକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାର ଶୁଣାଣି କରିଛନ୍ତି । ଗତ ବର୍ଷ ନଭେମ୍ବର ୨୪ ରେ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷଣ କରିଥିଲା। ଏହି ମାମଲାରେ ରାୟ ପ୍ରଦାନ କରୁଥିବାବେଳେ ଜଷ୍ଟିସ ଜୋସେଫ କହିଛନ୍ତି ଯେ ନିର୍ବାଚନ ଆୟୋଗ ସମ୍ବିଧାନର ଢାଞ୍ଚାରେ ନିରପେକ୍ଷ ତଥା ଆଇନ ଢାଞ୍ଚାରେ କାର୍ଯ୍ୟ କରିବା ଉଚିତ। ଏହାପୂର୍ବରୁ ସର୍ବୋଚ୍ଚ ଅଦାଲତ ପୂର୍ବତନ ଅମଲାତନ୍ତ୍ର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେବାପରେ ଏହି ବିବାଦ ଆରମ୍ଭ ହେଇଥିଲା ।ନିର୍ବାଚନ କମିଶନର ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲେ। ନିର୍ବାଚନ କମିଶନର ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ପର୍କରେ କୋର୍ଟ ମୂଳ ରେକର୍ଡ ଖୋଜିଥିଲେ। ନିର୍ବାଚନ କମିଶନର ଭାବେ ଅରୁଣ ଗୋୟଲଙ୍କୁ କିପରି ନିଯୁକ୍ତ କରାଯାଇଛି ସେନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |