ସୁନ୍ଦରଗଡ, ୦୮/୧୦(ଫିରୋଜ କୁମାର ବେହେରା): ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ପୋଲିସ ଅବନକେଲା, ଭସ୍ମା, ମଙ୍ଗସପୁର, ନଦୀସୁଗୁଡା, ରେମେଣ୍ଡା ଆଦି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଇବ ନଦୀ ବ୍ରିଜ ନିକଟରେ ଏକ ନୂଆ ଘର ଭିତରେ ଭସ୍ମା ଅଞ୍ଚଳର ବାସୀନ୍ଦା କିଛି ଲୁକ୍କାୟିତ କାରବାର କରୁଛନ୍ତି ବୋଲି ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲେ । ଭସ୍ମା ଗ୍ରାମର ଦୁଇ ବାସିନ୍ଦା ପୁରୁଷୋତ୍ତମ ମେହେର ଓ ଅଜୟ ବଞ୍ଛୋରଙ୍କୁ ପୋଲିସ ଡାକି ଚଢ଼ାଉ ସମୟରେ ସାମଗ୍ରୀ ଜବତର ସାକ୍ଷୀ ରହିବା ସକାସେ ପାଖରେ ରଖାଇଥିଲେ । ଉକ୍ତ ନୂତନ ଗୃହ ପରିସରମଧ୍ୟରୁ ୯୦ଟି ୨୦୦ ଲିଟର ରହୁଥିବା ଭର୍ତ୍ତି କିରୋସିନ ଡ୍ରମ ଜବତ ହୋଇଥିଲା । ପରେ ସେହି ଜାଗା ଓ କାରବାରର ମାଲିକ କୁହାଯାଉଥିବା ମନୋଜ ନାଏକ ଆସିଥିଲେ । ତାଙ୍କୁ କିରୋସିନି ସମ୍ପର୍କରେ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା, ତାଛଡା ମନୋଜ କୌଣସି କାଗଜପତ୍ର ମଧ୍ୟ ଦେଖାଇ ପାରି ନ ଥିଲେ । ପରେ ଅଧିକ ତଦନ୍ତ କରିବାରୁ ଚୋରାରେ ବିଭିନ୍ନ ସ୍ଥାନରୁ ଡିଲର ମାନଙ୍କ ଠାରୁ କିରୋସିନ ଆଣି ଜମା କରିବା ସହ ପିଡିଏସ କିରୋସିନ ମଧ୍ୟ ଚୋରାରେ ଆଣି କାରବାର କରୁଥିବାର ଜଣାପଡିଥିଲା । ପଚରା ଉଚୁରା ପରେ ମନୋଜଙ୍କ ଠାରୁ ଲିଙ୍କ ପାଇ ପୋଲିସ ଝାରସୁଗୁଡା ଜିଲ୍ଲାର ଶିଳ୍ପାଞ୍ଚଳରେ ଥିବା ପଞ୍ଚପଡା ଅଞ୍ଚଳରେ ଚଢାଉ କରି ଗୋଟିଏ କିରୋସିନ ଭର୍ତ୍ତିଥିବା ଟେଙ୍କର ଓଆର ୧୪ ବି ୦୭୨୨, ଗୋଟିଏ ବଲେରୋ ଭେନ ଓଡି ୧୪ ସି ୯୨୪୩, ଗୋଟିଏ ବାଇକ ଓଆର ୧୪ କେ ୦୫୮୨, ଦୁଇଟି ଟୁଲୁ ପମ୍ପ, ୨୦୦ ଲିଟର ତେଲ ଭର୍ତ୍ତି ୨୬ ଟି ଡ୍ରମ, ଓ ଖାଲି ଡ୍ରମ ୨୦ ଟି, ଇତ୍ୟାଦି ଅନେକ ସାମଗ୍ରୀ ଜବତ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |