କି ମନୋହର….ଚନ୍ଦନ ଯାତ୍ରାରେ ମଦନମୋହନଙ୍କ ସୁନ୍ଦର ଟାହିଆ

ପୁରୀ,୧୮/୫: ସ୍ନାନ,ରଥ,ବାହୁଡ଼ା ଓ ନୀଳାଦ୍ରି ବିଜେ ରେ ହେଉଥିବା ପହଣ୍ଡି ସମୟରେ ରାଘବ ଦାସ ମଠ ରୁ ଆସିଥିବା ଟାହିଆ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। ବାଉଁଶ,ସୋଲ, ଫୁଲ ଆଉ ତୁଳସୀ ରେ ତିଆରି ହୋଇଥିବା ବିରାଟ ଟାହିଆ ଭକ୍ତ ମାନଙ୍କୁ ଆକର୍ଷିତ କରିଥାଏ। ସେହିପରି ଭାବରେ ଚନ୍ଦନ ଯାତ୍ରା ସମୟରେ ମଧ୍ୟ ପ୍ରତ୍ୟେକ ଦିନ ମଦନମୋହନଙ୍କୁ ସୁନ୍ଦର ଟାହିଆ ଲାଗି ହେଇଥାଏ। ଏହି ଟାହିଆ କିନ୍ତୁ କୈାଣସି ମଠ ଦ୍ଵାରା ତିଆରି ହୁଏନି ବରଂ କାହିଁ ବହୁ ବର୍ଷରୁ ଦଇତାପଡା ସାହି ର ଶ୍ରୀ ଅବଧୂତ ପଟ୍ଟନାୟକଙ୍କ ପରିବାର ଦ୍ଵାରା ତିଆରି ହୁଏ। ଏହି ବୈଷ୍ଣବ ପରିବାର ଅତ୍ୟନ୍ତ ନିଷ୍ଠାର ସହ ଏହି ଟାହିଆ କରୁଛନ୍ତି । ଦେଖିବାକୁ ଟାହିଆ ଟି ଛୋଟ କିନ୍ତୁ ଏହା ପୁରା ଦିନ ଆଉ ବହୁତ ଲୋକଙ୍କର ପରିଶ୍ରମ ରେ ତିଆରି ହୁଏ। ମଦନମୋହନଙ୍କର ଏହି ଟାହିଆ ପାଇଁ ବର ପତ୍ର, ଖଡ଼ିକା, କଦଳୀ ପଟୁକା, ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲର କଢର ଆବଶ୍ୟକତା ପଡ଼ିଥାଏ। ଚନ୍ଦନ ଯାତ୍ରା ରେ ମହାପ୍ରଭୁଙ୍କର ଟାହିଆ ସମସ୍ତ ବାସ୍ନା ଫୁଲର କଢରେ ତିଆରି ହୁଏ। ବଉଳ ଫୁଲ, ଗୋଲାପ ସହ ମଲ୍ଲି, ଯୁଇ,ଯାଇ, ଚମ୍ପା, କାଠ ରଙ୍ଗଣୀ, ଅଁଳେଇ ଇତ୍ୟାଦି ର କଢ ସଂଗ୍ରହ କରାଯାଏ। ଟାହିଆଟି ଛୋଟ ହୋଇଥିବାରୁ ଏଥିରେ ହେଉଥିବା କାରୁକାର୍ଯ୍ୟ ମଧ୍ୟ ସୂକ୍ଷ୍ମ । ବିଭିନ୍ନ ଆକୃତିର ଛାଞ୍ଚ ରେ ଅତି ସତର୍କତାର ସହ ବର ପତ୍ର ଗୁଡ଼ିକୁ କଟାଯାଏ। ତା’ ପରେ ସେହି ପତ୍ର ରେ ଫୁଲ ର କଢ ଗୁଡ଼ିକୁ କଦଳୀ ପଟୁକା ଓ ସୂକ୍ଷ୍ମ ଛୁଞ୍ଚି ସାହାଯ୍ୟରେ ଗୁନ୍ଥା ଯାଏ। ଏହିପରି ବିଭିନ୍ନ ଆକୃତି ର ଫୁଲକଢର ରେଖାଚିତ୍ରକୁ ଖଡ଼ିକା କାଠି ରେ ଗୁନ୍ଥି ଏକ ସୁନ୍ଦର ମନୋହର ଟାହିଆ ର ରୂପ ଦିଆଯାଏ। ସନ୍ଧ୍ୟା ସମୟରେ ଠାକୁର ଏ ଟାହିଆ ଟି ପିନ୍ଧିବା ସମୟରେ ସେଇ କଢ ଗୁଡ଼ିକ ଆସ୍ତେ ଆସ୍ତେ ଫୁଟି ଅପୂର୍ବ ଦେଖାଯାଆନ୍ତି। ଏହି କାର୍ଯ୍ୟ ପାଇଁ ଏକାଗ୍ରତା ଓ ନିଷ୍ଠା ସହ ସମର୍ପଣ ମଧ୍ୟ ଆବଶ୍ୟକ। ପଟ୍ଟନାୟକଙ୍କ ପରିବାର, ବନ୍ଧୁ ବାନ୍ଧବ ଓ ଅନ୍ୟାନ୍ୟ ବୈଷ୍ଣବ ଏହି ଟାହିଆ ତିଆରି ରେ ନିଜକୁ ନିୟୋଜିତ କରି ଧନ୍ୟ ମନେ କରନ୍ତି। ସମସ୍ତେ ନିୟମ ମାନି ଶୃଙ୍ଖଳିତ ଭାବରେ ଏହି ଟାହିଆ ତିଆରି କାର୍ଯ୍ୟ ସମ୍ପାଦିତ କରିଥାନ୍ତି। ପ୍ରତ୍ୟେକ ଦିନ ଫୁଲର ଛୋଟ ଛୋଟ କଢକୁ ପତ୍ର ରେ ଗୁନ୍ଥି ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଟାହିଆ ରେ ରୂପାନ୍ତରିତ କରିବା, ତାହା ପୁଣି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କେବଳ ପ୍ରଭୁ ଙ୍କ ଆଶୀର୍ବାଦ ରୁ ହିଁ ସମ୍ଭବ ହୋଇଥାଏ ।

WhatsApp Image 2021 05 18 at 4.43.04 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: