ମୟୂରଭଞ୍ଜ ,୨୦/୦୯: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବି ସହ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଓ ସାରନା ଧର୍ମର କୋଡ଼ ଲାଗୁ କରିବା ତିନି ଦଫା ଦାବି ନେଇ ରେଳରୋକ । ମୟୂରଭଞ୍ଜ ଜିଲ୍ଲା ମିଳିତ କୁଡୁମୀ ସଂଗଠନ ପକ୍ଷରୁ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ମଙ୍ଗଳବାର ବାରିପଦାର ଭଞ୍ଜପୁର ଷ୍ଟେସନ ଠାରେ ରେଳରୋକ କରି ଆନ୍ଦୋଳନ କରିଛନ୍ତି। ସର୍ବ ଭାରତୀୟ ଟୋଟେମିକ କୁଡୁମୀ ସମାଜ ଆହ୍ବାନ କ୍ରମେ ମଙ୍ଗଳବାର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ରାଜ୍ୟରେ ଏହି ରେଳରୋକ କରାଯିବା ନେଇ କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ସମର୍ଥନ ଜଣାଇ ଜିଲ୍ଲା ସଂଗଠନ ଭଞ୍ଜପୁର ଠାରେ ରେଳରୋକ ଆନ୍ଦୋଳନ କରିଛନ୍ତି। କୁଡୁମି ସମ୍ପ୍ରଦାୟକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା। କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ଦାବି ହେଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ। ତେଣୁକରି ଆଦିବାସୀ ମାନ୍ୟତା ସହ କୁଡୁମାଲି ଭାଷାକୁ ସମ୍ବିଧାନରେ ସାମିଲ କରିବା ଆଦି ଦାବି ନେଇ ଆଜି କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ମାନେ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ବାଙ୍ଗିରିପୋଷି- ଭୁବନେଶ୍ୱର ସୁପରଫାଷ୍ଟ ଏବଂ ରୁପସା- ବାଙ୍ଗିରିପୋଷି ଡିଏମୟୁ ଟ୍ରେନକୁ ଭଂଜପୁର ରେଳ ଷ୍ଟେସନ ଠାରେ ଅଟକାଇ ଥିଲେ। ବହୁ ସମୟ ଧରି ଟ୍ରେନ ଅଟକି ରହିଥିବା ବେଳେ ଯାତ୍ରୀ ମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ରାଇରଙ୍ଗପୁର ଅଂଳାଯୋଡି ରେଳ ଷ୍ଟେସନରେ ଓଡିଶା କୁଡୁମୀ ସେନା ନେତୃତ୍ୱରେ କୁଡୁମୀ ଜାତିର ବିଭିନ୍ନ ସଙ୍ଗଠନ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |