ମୁନିଗୁଡା,୧୫/୩(ନନ୍ଦ କିଶୋର ପଟ୍ଟନାୟକ):କେନ୍ଦ୍ର ସରକାରଙ୍କ ତିନୋଟି କଳା କୃଷି ଆଇନର ପ୍ରତ୍ୟାହାର, କୃଷକଙ୍କ ଉତ୍ପାଦିତ ସବୁ ଫସଲର ସର୍ବନିମ୍ନ ସହାୟକ ଦରକୁ ନିଶ୍ଚିତ କରିବାକୁ ଆଇନ ପ୍ରଣୟନ କରିବା, ଜନବିରୋଧୀ ବିଦ୍ୟୁତ୍ ବିଲ୍ -୨୦୨୦କୁ ପ୍ରତ୍ୟାହାର କରିବା ତଥା ରାଜ୍ୟ ସରକାର ନିକଟରେ ଆଣିଥିବା କୃଷକ ବିରୋଧୀ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା ରାଜ୍ୟସ୍ତରୀୟ କୃଷକ ଯାଥାକୁ ମୁନିଗୁଡା ଠାରେ ବିପୁଳ ସମ୍ଵର୍ଦ୍ଧନା ଦିଆଯାଇଥିଲା । କୃଷକ ଅଧିକାର ଯାତ୍ରା ନାମରେ ଗତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାଥା ରାଜ୍ୟର ୨୦ଟି।ଜିଲ୍ଲା ପରିକ୍ରମା କରି ଆସନ୍ତା ମାର୍ଚ୍ଚ୨୩ ତାରିଖରେ ଶହୀଦ ଭଗତ ସିଂଙ୍କ ଫାଶୀ ଦିବସ ଦିନ ଭୁବନେଶ୍ବର ଠାରେ ପହଂଚିବ । ଗତକାଲି ସ୍ଥାନୀୟ ହାଟମୁନିଗୁଡା ରାସ୍ତାରୁ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଶତାଧିକ କର୍ମୀ ଫୁଲହାର ଦେଇ ସ୍ଵାଗତ କରିବା ସହ ଏକ ବାଇକ୍ ରାଲିରେ ସହର ପରିକ୍ରମା କରି ଭୁର୍ଷିଖମାର ଛକ ଠାରେ ପହଂଚିଥିଲେ । ସେଠାରେ ଶହ ଶହ ପୁରୁଷ ମହିଳା ହୁଳହୁଳି ଓ ଫୁଲହାର ଦେଇ ଯାଥାରେ ଆସିଥିବା ଅଭିଯାତ୍ରୀମାନଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଏଆଇକେଏମଏସ୍ ଜିଲ୍ଲା ଆବାହକ ସୁବାଷ କୁଲେସିକାଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡିଶାର କୃଷକ ଆନ୍ଦୋଳନର ନେତା ଲିଙ୍ଗରାଜ, ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଏନଏପିଏମର ନେତା ପ୍ରଫୁଲ୍ଲ ସାମନ୍ତରା, ଓଡିଶା କୃଷକ ସଭା ସଭାପତି ଯମେଶ୍ଵର ସାମନ୍ତରାୟ, ଏଆଇକେଏସର ନେତା ରାମଚନ୍ଦ୍ର ମୁଦୁଲି, ଏଆଇକେକେଏସ୍ ସମ୍ପାଦକ ଶଙ୍କର ସାହୁ, ଏଆଇକେକେଏମଏସ୍ ନେତା ନିରଞ୍ଜନ ମହାନ୍ତି, ଏଆଇକେଏମଏସ୍ ରାଜ୍ୟ କମିଟି ସଭ୍ୟ କୁଶନାଥ ପ୍ରଧାନ, ଏଆଇକେଏମକେଏସ୍ ନେତା ନିରାକାର ନାୟକ, ଇନସାଫର ନେତା ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାମାନେ ମୋଦି ସରକାରଙ୍କ କୃଷି ଆଇନକୁ କୃଷକ ବିରୋଧୀ ଏବଂ କର୍ପୋରେଟଙ୍କ ସ୍ଵାର୍ଥରେ ଅଣାଯାଇଛି ବୋଲି କହିଥିଲେ । ଉପରୋକ୍ତ ତିନୋଟି ଆଇନ ଲାଗୁହେଲେ ଦେଶର ଚାଷଜମି କର୍ପୋରେଟଙ୍କ ହାତକୁ ଚାଲିଯିବ ଏବଂ କୃଷକ, ଭାଗଚାଷୀ ଏବଂ କୃଷି ଶ୍ରମିକମାନେ ଚାଷରୁ ବେଦଖଲ ହେବେ । ଦେଶୀ ବିଦେଶୀ କର୍ପୋରେଟଙ୍କ ହାତକୁ ଚାଷ ଚାଲିଗଲେ ଦେଶର ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବା ସହ ସାଧାରଣ ଖାଉଟି ଚଢା ଦରରେ ଖାଦ୍ୟଦ୍ରବ୍ୟ କମ୍ପାନୀଙ୍କ ଠାରୁ କିଣିବାକୁ ବାଧ୍ୟ ହେବେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏଆଇକେଏମଏସର ସ୍ଥାନୀୟ ନେତା ହରିବନ୍ଧୁ କାଡ୍ରାକା, ଗଣେଶ ଜାକାସିକା, ନରେଶ ସୁନା, ରବି ନୁଣ୍ଡ୍ରୁକା ପ୍ରମୁଖ ନେତୄତ୍ଵରେ ପାଖ ଆଖ ଗାଁର ଶହ ଶହ କୃଷକ ଯୋଗ ଦେଇଥିଲେ । ପୂର୍ବରୁ ମୁନିଗୁଡା ବସଷ୍ଟାଣ୍ଡ ଠାରେ ଶ୍ରମିକ ନେତା ଖଲି ପଣ୍ଡାଙ୍କ ନେତୄତ୍ଵରେ ଭୈରବୀ ମୋଟର କର୍ମଚାରୀ ସଂଘ ପକ୍ଷରୁ ଅଭିଯାତ୍ରୀମାନଙ୍କୁ ଫୁଲତୋଡା ଦେଇ ସମ୍ଵର୍ଦ୍ଧନା କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |