କୃଷି ଆଇନ ବିରୋଧରେ ଆନ୍ଦୋଳନ ତୀବ୍ର : ଏକାଠି ହେଲେ ହଜାର ହଜାର ସଂଖ୍ୟାରେ ଚାଷୀ

ନୂଆଦିଲ୍ଲୀ ୦୫/୦୯ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ବିଭିନ୍ନ ଚାଷୀ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି । ରବିବାର ସକାଳେ ବିଭିନ୍ନ ରାଜ୍ୟର କୃଷକ, ମୁଜାଫରନଗର ସ୍ଥିତ ଇଣ୍ଟର କଲେଜ ମୈଦାନରେ ହେବାକୁଥିବା ଚାଷୀ ମହାପଞ୍ଚାୟତ ପାଇଁ ଏକାଠି ହୋଇଛନ୍ତି । ଆସନ୍ତା ବର୍ଷ ଆରମ୍ଭ​‌ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପୁଣି ଥରେ ଚେଇଁ ଉଠିଛନ୍ତି ଚାଷୀ ।

କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୁଦ୍ଧରେ ଦୀର୍ଘଦିନ ହେଲା ଆନ୍ଦୋଳନ ଜାରି ରଖିଥିବା ବିଭିନ୍ନ ଚାଷୀ ସଂଗଠନ ଏହାକୁ ଆହୁରି ତୀବ୍ର କରିବା ସହିତ କେନ୍ଦ୍ରର ବିଜେପି ସରକାର ଏବଂ ଯୋଗୀ ସରକାରଙ୍କ ବିରୁଦ୍ଧରେ ଭୋଟ ଦେବାକୁ ଲୋକମାନଙ୍କୁ କହିବେ ବୋଲି କହିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଷୀ ମହାପଞ୍ଚାୟତ ଆୟୋଜନ କରାଯାଇଛି ।

ଭାରତୀୟ ଚାଷୀ ୟୁନିଅନ ପ୍ରବକ୍ତା ଧର୍ମେନ୍ଦ୍ର ମଲିକ କହିଛନ୍ତି, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟରୁ ପ୍ରାୟ ୩୦୦ଟି ଚାଷୀ ସଂଗଠନର ଚାଷୀ ଏକତ୍ରିତ ହୋଇଛନ୍ତି । ସେଠାରେ ପ୍ରାୟ ୫ ହଜାର ଖାଦ୍ୟ ଷ୍ଟଲ ତିଆରି କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ସେଠା​‌ରେ ପହଞ୍ଚିଛନ୍ତି । ଆୟୋଜନ ସ୍ଥଳ ନିକଟରେ ଅନେକଗୁଡିଏ ସ୍ବାସ୍ଥ୍ୟ କ୍ୟାମ୍ପ ମଧ୍ୟ ତିଆରି କରାଯାଇଛି । ଏତେ ସଂଖ୍ୟକ ଚାଷୀ ଏକାଠି ହୋଇଛନ୍ତି ଯେ ମୁଜାଫରନଗର ସ୍ଥିତ ଇଣ୍ଟର କଲେଜ ମୈଦାନରେ ଆଉ ସ୍ଥାନ ନାହିଁ । ବାଧ୍ୟ ହୋଇ ଚାଷୀମାନଙ୍କ ପାଇଁ ଏଲ୍‌ଇଡି ମାଧ୍ୟମରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଭାରତୀୟ ଚାଷୀ ୟୁନିଅନ ପ୍ରବକ୍ତା ରାକେଶ ଟିକାୟତ ମଧ୍ୟ ବିଶାଳ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି । ରାକେଶ ଟିକାୟତ କହିଛନ୍ତି, ‘ଚାଷୀ ଆନ୍ଦୋଳନ ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ଭାରତ ସରକାର ଚାଲୁରଖିବେ । ଯେପର୍ଯ୍ୟନ୍ତ ନୂଆ କୃଷି ବିଲ ପ୍ରତ୍ୟାହାର ନହୋଇଛି ସେ ଯାଏଁ ଆନ୍ଦୋଳନ ଜାରି ରହିବ । ସ୍ବାଧୀନତାର ଲଢେଇ ୯୦ ବର୍ଷ ଯାଏଁ ଚାଲିଥିଲା କିନ୍ତୁ ଚାଷୀ ଆନ୍ଦୋଳନ କେବେ ଯାଏଁ ଚାଲିବ ତାହାର କୌଣସି ସଠିକ୍‌ ସୂଚନା ନାହିଁ । ଚାଷୀ ମହାପଞ୍ଚାୟତ ସମଗ୍ର ଭାରତରେ ଚାଲିବ । ବିଭିନ୍ନ ସ୍ଥାନରେ ଏଭଳି ଭାବେ ଚାଷୀମାନେ ଏକାଠି ହେବେ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବେ ।’ସେପଟେ ଚାଷୀ ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଉତ୍ତର ପ୍ରଦେଶ ପୋଲିସ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ‘ଚାଷୀ ମହାପଞ୍ଚାୟତକୁ ନେଇ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେଠାରେ ଯାତାୟତ କରୁଥିବା ଲୋକମାନଙ୍କର ଯେଭଳି କୌଣସି ସମସ୍ୟା ନହେବ ସେ ନେଇ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ବର୍ତ୍ତମାନ ସବୁକିଛି ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି । ଏହାସହିତ ଚାଷୀଙ୍କୁ ମଧ୍ୟ ସତର୍କ କରାଯାଇଛି ଯେ କୌଣସି ମତେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: