କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

କେନ୍ଦୁଝର, ୦୨/୧୦: କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ ଏବଂ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୧୭ ତମ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍‌ଠାରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ଉଦ୍‌ବୋଧନ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଶାନ୍ତିଦୂତ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଉଚ୍ଚ ଆଦର୍ଶ, ଚିନ୍ତନ ଏବଂ ତ୍ୟାଗ ସବୁବେଳେ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରୁଥିବ ବୋଲି କହିଥିଲେ । ସତ୍ୟ, ନ୍ୟାୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମାଗାନ୍ଧୀ ଏବଂ ମୂଲ୍ୟବୋଧ ଓ ସ୍ୱାଭିମାନର ପ୍ରତୀକ ଶାନ୍ତିଦୂତ ତଥା ଜୟଜବାନ୍‌-ଜୟ କିଶାନ୍ ସ୍ଲୋଗାନ୍‌ର ଉଦ୍‌ଘୋଷକ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ସରଳ ନିରାଡମ୍ବର ଜୀବନ, ଉଚ୍ଚ ବିଚାର, ଦେଶପ୍ରେମ ସଂପର୍କରେ ଅବତାରଣା କରି ଭାରତର ସ୍ପର୍ଦ୍ଧା ଓ ସ୍ୱାଭିମାନ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଗାନ୍ଧୀଜୀଙ୍କ ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ କେବଳ ସ୍ୱାଧୀନତା ହାସଲରେ ସୀମିତ ନଥିଲା । ସ୍ୱାଧୀନତା ସହିତ ଭାରତର ସାମଗ୍ରିକ ବିକାଶ ଗାନ୍ଧୀଜୀଙ୍କ ଆଦର୍ଶରେ ପ୍ରତିଫଳିତ ହୋଇଥିଲା ବୋଲି କହିଥିଲେ । ଗାନ୍ଧୀଜୀଙ୍କ ରାମ ରାଜ୍ୟର ସ୍ୱପ୍ନକୁ ସାକାର କରିବା ପାଇଁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ସମସ୍ତଙ୍କର ଆନ୍ତରିକତା, ମାନସିକତା ଓ ଉଦ୍ୟମ କାମନା କରିଥିଲେ । ଏତଦ୍‌ବ୍ୟତୀତ ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କିପରି ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି ତାହା ଅବତାରଣା କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ନିଜ ଅଭିଭାଷଣରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ମହାମାନବ, ଅହିଂସାର ପୂଜାରୀ, ତ୍ୟାଗ, ସେବା ଓ ପରୋପକାରର ପ୍ରତୀକ ଭାବେ ଅବିହିତ କରି ମହାତ୍ମାଗାନ୍ଧୀ ସମଗ୍ର ପୃଥିବୀର ବିରଳ ଜନନାୟକ, ଯୁବପୁରୁଷ ଏବଂ ଆଦର୍ଶ ଥିଲେ ବୋଲି କହିଥିଲେ । ପୃଥିବୀର ବିଭିନ୍ନ ଦେଶରେ ଗାନ୍ଧିଜୀଙ୍କ ଅହିଂସା ନୀତିର ପ୍ରଭାବ ଏବଂ ବର୍ତମାନ ସମୟରେ ଗାନ୍ଧୀବାଦର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ଗାନ୍ଧୀଙ୍କ ଦର୍ଶନ ଓ ବିଚାରଧାରା ସମଗ୍ର ବିଶ୍ୱବାସୀଙ୍କୁ ସବୁବେଳେ ଉଦ୍‌ବୁଦ୍ଧ କରୁଥିବ ବୋଲି ଜିଲ୍ଲାପାଳ କହିଥିଲେ । ଗାନ୍ଧୀଜୀଙ୍କୁ ଭାରତର ସ୍ୱାଧିନତା ସଂଗ୍ରାମର ମୁଖ୍ୟ ସ୍ଥପତି ଭାବେ ଅଭିହିତ କରିଥିଲେ । ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଆଦର୍ଶର୍ରେ ଦେଶବାସୀ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ଦେଶ ଗଠନ ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ ଜଣାଇଥିଲେ । ସ୍ୱାଧିନତା ହାସଲ ସହିତ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ପରିବେଶ, ସମାଜ ସଂସ୍କାର, ଗ୍ରାମ ବିକାଶ ଓ ସ୍ୱଚ୍ଛତା ଇତ୍ୟାଦି କ୍ଷେତ୍ରରେ ବିକାଶ ଗାନ୍ଧୀଜୀଙ୍କର ଲକ୍ଷ୍ୟ ଥିଲା । ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ ଏବଂ କେନ୍ଦୁଝର ଉପଜିଲ୍ଲପାଳ ରାମଚନ୍ଦ୍ର କିସ୍କୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କୁ ବିଶ୍ୱର ମହାନାୟକ ଭାବେ ବର୍ଣ୍ଣନା କରିଥିଲେ ଏବଂ ତାଙ୍କର ନୀତି, ଆଦର୍ଶ, ସରଳ ଜୀବନ, ଉଚ୍ଚ ଚିନ୍ତନ, ତ୍ୟାଗ, ଅହିଂସା ମନୋଭାବକୁ ସମସ୍ତେ ଅନୁସରଣ କରିବାକୁ ନିବେଦନ କରିଥିଲେ । ଗାନ୍ଧୀଜୀଙ୍କ ଅହିଂସା ନୀତିମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ଓ ପୃଥିବୀରେ ଶାନ୍ତି ଓ ସଦ୍‌ଭାବନା ପ୍ରତିଷ୍ଠା ହୋଇପାରିବ ବୋଲି କହିଥିଲେ । ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ସମସ୍ତ ଭାରତୀୟଙ୍କ ପାଇଁ ଅନୁଚିନ୍ତା, ଅନୁଶୀଳନ ଏବଂ ସଂକଳ୍ପର ଦିବସ ହେଉ ବୋଲି କହିଥିଲେ । ସୂଚନା ଓ ଲୋକ ସଂପର୍କ ଉପନିର୍ଦ୍ଦେଶକ କେନ୍ଦୁଝର ସଂଜୀବ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ବକ୍ତବ୍ୟ ପ୍ରଦାନ କରି ଗାନ୍ଧୀଜୀଙ୍କ ଓଡିଶା ଗସ୍ତର ୧୦୦ ବର୍ଷ ପୂର୍ତି ଏବଂ ସ୍ୱାଧିନତାର ୭୫ ବର୍ଷ ପୂର୍ତି- ଆଜାଦୀକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଚଳିତ ବର୍ଷ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ପଣ୍ଡିତ ମଧୁସୂଦନ ମିଶ୍ର ଗୀତା ପାଠ କରିଥିବାବେଳେ ମୌଲବୀ ମହମ୍ମଦ ସିରାଜୁଦ୍ଦିନ କୋରାନ୍ ଏବଂ ରେଭେରେଣ୍ଡ୍ ସି.ଡି.ଲିମା ବାଇବେଲ୍ ପାଠ କରିଥିଲେ । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି ଏବଂ ସଂକୀର୍ତନ କଳାକାର ପ୍ରମୁଖ ଯୋଗଦେଇଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରକାଳ ୮ ଘଟିକା ସମୟରେ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଂକୀର୍ତନ ରାମଧୂନ ଶୋଭାଯାତ୍ରର ଶୁଭାରମ୍ଭ କରିଥିôଲେ । ତତ୍‌ପରେ କଲେକ୍ଟୋରେଟ୍ ପରିସରରେ ଏବଂ ନଗରଭବନ ସମ୍ମୁଖରେ ଅବସ୍ଥାପିତ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏତଦ୍‌ବ୍ୟତୀତ କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ବଡଡେରାଠାରେ ଏବଂ ହୁଡ୍‌କୋ କଲୋନୀରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଅର୍ନ୍ତଗତ ମିନି ପାର୍କ ଜିଲ୍ଲାପାଳ ଆଶିଷ ଠାକରେଙ୍କ କରୋକମଳରେ ଉଦ୍‌ଘାଟିତ ହୋଇଥିଲା । ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ ଏବଂ କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ଅନ୍ୟ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରତ୍ୟୁଷରୁ ସହରରେ ରାମଧୁନ ପ୍ରଚାର କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: