କେନ୍ଦ୍ରାପଡା,୮ା୫ : କେନ୍ଦ୍ରାପଡାର ସୁନେଇଲୋ ଗ୍ରାମର ଇସ୍ପିତା ମିଶ୍ର ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶରେ ଓଡିଶା ହାଇକୋର୍ଟର ବିଚାରପତି ଡଃ. ବିଦ୍ୟୁତ ରଞ୍ଜନ ଷଢଙ୍ଗୀ ମୁଖ୍ୟ ଅତିଥି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇପ୍ସିତା ମିଶ୍ରଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ଏହି ପଦକଗୁଡିକ ମଧ୍ୟରେ ଦିୱାନ ବାହାଦୁର ଲକ୍ଷ୍ମୀଧର ମହାନ୍ତି ମେମୋରିଆଲ୍, ଗିରିଜାଶଙ୍କର ରାୟ ମେମୋରିଆଲ୍, କିର୍ତ୍ତନ ବିହାରୀ ପଟ୍ଟନାୟକ ମେମୋରିଆଲ୍ ଓ ଓତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହିପରି ୪ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ତାଙ୍କର ବାପା ଡା. କିଶୋର ଚନ୍ଦ୍ର ମିଶ୍ର କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ବେଳେ ମା କଳ୍ପନା ମିଶ୍ର ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି । ଇପ୍ସିତାଙ୍କ ଭାଇ ଅଂଶୁମାନ ମିଶ୍ର ୨୦୧୫ରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଆଇଆରପିଏସ୍ (ଇଣ୍ଡିଆନ ରେଲୱେ ପର୍ସନେଲ ସର୍ଭିସ) । ଏବେ ରେଳ ବିଭାଗ ନାଗପୁରରେ ଡିଆରଏମ୍ ଅଛନ୍ତି । ଇପ୍ସିତା ସଫଳତାର ସମସ୍ତ ଶ୍ରେୟ ତାଙ୍କ ମା’ କଳ୍ପନା ମିଶ୍ର ଏବଂ ବାପା କିଶୋର ମିଶ୍ରଙ୍କୁ ଦେଇଛନ୍ତି । ସେ କେନ୍ଦ୍ରାପଡା ସେଣ୍ଟ ଜୋସେଫ୍ ସ୍କୁଲରୁ ପାଠପଢା ଆରମ୍ଭ କରି ୟୁନିଟ- ୮ ଡିଏଭି ପବ୍ଲିକ ସ୍କୁଲରୁ ସଫଳତା ସହ ମ୍ୟାଟ୍ରିକରେ ଉତ୍ତୀର୍ଣ୍ଣ ହେବାପରେ ରମାଦେବୀ କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ଇପ୍ସିତା ରିଜିଓନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ଏଜୁକେଶନରୁ ବିଏଡ୍ ମଧ୍ୟ କରିଛନ୍ତି । ଭବିଷ୍ୟତରେ ଇଂରାଜୀ ବିଭାଗରେ ପ୍ରଫେସର ହେବେ ବୋଲି ଲକ୍ଷ ରଖିଥିବା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଓଡିଶାର ପିଲାଙ୍କୁ ଉଚ୍ଚମାନର ଇଂରାଜୀ ଶିକ୍ଷା ଦେବା ପାଇଁ ସେ ଲକ୍ଷ ରଖିଛନ୍ତି । ଏହି ସଫଳତା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଗର୍ବ ଓ ଗୌରବକୁ ବହୁଗୁଣିତ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |