କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଐତିହ୍ୟରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ

ନୂଆଦିଲ୍ଲୀ , ୨୮/୦୭ : ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତୋମପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ସଂରକ୍ଷଣ ତଥା ରତ୍ନଚିରା ମୁହାଣରେ ଥିବା ଐତିହ୍ୟରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ନିମନ୍ତେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱପ୍ନେଶ୍ୱର ମନ୍ଦିର ବିପଦଜନକ ଅବସ୍ଥାରେ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି। ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଷ୍ପତି ନେବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟ ଏଣ୍ଡ କଲଚ୍ୟୁରାଲ ହେରିଟେଜ(ଇନଟାକ) ରତ୍ନଚିରା ଉପତ୍ୟାକା ଏବଂ ସେଠାକାର ଐତିହ୍ୟରାଜିର ଅନୁସନ୍ଧାନ କରିବା ସମୟରେ ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତୋମପୁର ଗ୍ରାମରେ ୬-୭ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ମାଟି ତଳୁ ଖୋଳି ବାହାର କରିଛି । ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ମହାଦେବଙ୍କ ପାଇଁ ସମର୍ପିତ ସ୍ୱପ୍ନେଶ୍ୱର ମନ୍ଦିର ଭାବରେ ପରିଚିତ ଅଛି । ୧୩୦୦-୧୪୦୦ ବର୍ଷ ପୂର୍ବେ ଏହି ମନ୍ଦିର କଳିଙ୍ଗ କୀର୍ତିରାଜିର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆକଳନ କରାଯାଇଛି । ମନ୍ଦିରର ଢ଼ାଞ୍ଚାର ସ୍ଥିତି ବିପଦଜନକ ଅବସ୍ଥାରେ ଥିବା ଦର୍ଶାଇ ଧର୍ମେନ୍ଦ୍ର ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଏହାର ଶୀଘ୍ର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ।

ସେହିପରି ରତ୍ନଚିରା ଉପତ୍ୟାକାକୁ ନେଇ କିମ୍ବଦନ୍ତୀ ରହିଛି ଯେ ପ୍ରଭୁ ଶ୍ରୀରାମ ମାଆ ସୀତାଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ତାଙ୍କ ମୁକ୍ତା ମୁଦିର ସାହାଯ୍ୟ ନେଇଥିଲେ ଏବଂ ସେଠାରେ ହିଁ ରତ୍ନଚିରା ନଦୀର ଉତ୍ପତି ହୋଇଥିଲା । ରତ୍ନଚିରା ମୂହାଣ କଳିଙ୍ଗ କୀର୍ତିରାଜିର ମହାନ ସ୍ଥଳ । ଯାହା ଆଜି ପର୍ଯ୍ୟନ୍ତ ଇତିହାସରେ ଲିପିବଦ୍ଧ ରହିଛି । ତେଣୁ ଏହି ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ୱପ୍ନେଶର ମହାଦେବ ମନ୍ଦିର ତଥା ରତ୍ନଚିରା ମୂହାଣରେ ଥିବା ସ୍ଥାପତ୍ୟର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରି ରଖିବା ସହ ଏହାର ସଠିକ୍‌ ଡକ୍ୟୁମେଣ୍ଟେସନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: