ଖରସ୍ରୋତା ନଦୀରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟସ୍ଥଳରେ ପହଂଚିଲା ପ୍ରଶାସନ

ତୀବ୍ର ବିରୋଧ ପାଇଁ ସଜାଗ ହେଲା ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ।

ରାଜକନିକା,୩/୩: ଦୁଇ ମାସ ପରେ ବୁଧବାର ଖରସ୍ରୋତା ନଦୀରେ ପ୍ରସ୍ତାବିତ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟସ୍ଥଳରେ ପହଂଚିଛନ୍ତି ପ୍ରଶାସନ । କେନ୍ଦ୍ରାପଡ଼ା ଜିଲାରେ ଜିଲାପାଳ, ଅତିରିକ୍ତ ଜିଲାପାଳ ଏବଂ ଉପଜିଲାପାଳଙ୍କ ବଦଳି ହେବା ପରେ ନୂତନ ପ୍ରଶାସନିକ ଅଧିକାରୀମାନେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ କରିବାକୁ ନେଇ ତତ୍ପର ହୋଇ ଉଠିଛନ୍ତି । ଏପଟେ ଖରସ୍ରୋତା ନଦୀ କୂଳରେ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଜାରି ରହିଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ନରହରି ସେଠୀ, ଉପଜିଲାପାଳ ନିରଞ୍ଜନ ବେହେରା, ରାଜକନିକା ବିଡ଼ିଓ ଅଶୋକ କୁମାର ମହାନ୍ତି, ତହସିଲଦାର ପ୍ରେମାନନ୍ଦ ବେହେରା, ରାଜକନିକା ଆଇଆଇସି ସଞ୍ଜିବ କୁମାର ରଣବଇଁଶା, ପଟ୍ଟାମୁଣ୍ଡାଇ ଏସ୍‌ଡ଼ିପିଓ ରଞ୍ଜନ କୁମାର ଦେ, ଆର୍‌ଡ଼ବ୍ଲ୍ୟୁଏସ୍‌ଏସ୍‌ର କାର୍ଯ୍ୟନିବାହୀ ଅଧିକାରୀ ବସନ୍ତ କୁମାର ନାୟକ, ଯନ୍ତ୍ରୀ ଏବଂ ପ୍ରକଳ୍ପ କାର୍ଯ୍ୟକୁ ହାତକୁ ନେଇଥିବା ଠିକାଦାରୀ ସଂସ୍ଥାର ଅଧିକାରୀମାନେ କରସ୍ରୋତା ନଦୀରେ ପ୍ରକଳ୍ପ କାର୍ଯ୍ୟ ହେବାକୁ ଥିବା ଭାରିଗଦା ନଦୀ କୂଳ ସ୍ଥାନ ପରିଦର୍ଶନ କରିଥିଲେ । ଏହି ପ୍ରଶାସନିକ ଅଧିକାରୀମାନେ ରାଜକନିକା ବ୍ଲକ୍ କାର୍ଯ୍ୟାଳୟରେ ଏକ ରୁଦ୍ଧଦ୍ୱାର ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ପକ୍ଷରୁ ମଧ୍ୟ ଭାରିଗଦା ନଦୀ କୂଳରେ ଗଣଧାରଣା ଚାଲୁରହିଛି । ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ବୁଧବାର ସନ୍ଧ୍ୟାରେ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଗୁରୁବାର ଠାରୁ ଆନ୍ଦୋଳନ ଜୋରଦାର କରାଯିବା ନେଇ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ଆରମ୍ଭ କରାଯାଇଛି । ଆସନ୍ତା ମଙ୍ଗଳବାର ୯ ତାରିଖ ଦିନ ଉପଜିଲାପାଳ ପୁର୍ନବାର ସଂଗ୍ରାମ ସମିତିକୁ ଭେଟିବା ନେଇ ସୂଚନା ଦେଇଛନ୍ତି । ଏହା ସହିତ ଜୀବନ ଦେବୁ ପଛେ ଖରସ୍ରୋତାକୁ ମରିବାକୁ ଦେବୁ ନାହିଁ ବୋଲି ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟେଧନ ମହାନ୍ତି ଏବଂ ସଂପାଦକ ବିଧାନ ଦାସ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: