୧୪ରେ ମହିଳା ଚାଷୀଙ୍କ ରାସ୍ତାରୋକ, ପ୍ରତି ଗାଁରେ କମିଟି ଗଠନ,ସାଂସ୍କୃତିକ ଆନ୍ଦୋଳନ ପାଇଁ ପ୍ରସ୍ତୁତି
ରାଜକନିକା,୧୨/୯:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ର ଭାରିଗଦା ଠାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲା ପାଇଁ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ ଜାରି ରହିଛି । ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ବେଳେ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ମଧ୍ୟ ବିଭିନ୍ନ ତରିକାରେ ବିରୋଧ ପ୍ରଦର୍ଶନ କରାଯାଉଛି । ବିଧାନସଭା ଘେରାଉ କରାଯିବା ପରେ ରବିବାର ପ୍ରବଳ ବର୍ଷା ସତ୍ୱେ ଅଚ୍ୟୁତପୁର ଠାରେ ପୁଣି ସର୍ବ ଦଳୀୟ ବୈଠକରେ ଏକାଠି ହୋଇଛି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି । ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସର୍ବ ଦଳୀୟ ବୈଠକରେ ବିଭିନ୍ନ ଦଳର ନେତୃବର୍ଗ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି । ବଳପୂର୍ବକ କମ୍ପାନୀକୁ ହଟାଇବାକୁ ସବୁଦଳ ପକ୍ଷରୁ ମତ ପ୍ରକାଶ ପାଇଛି । ଏହା ସହିତ ପ୍ରତି ଗାଁରେ କମିଟି ଗଠନ କରିବା, ଗାଁ ଗାଁରେ ପ୍ରଥପ୍ରାନ୍ତ ସଭା କରି ଜନ ସଚେତନତା ସୃଷ୍ଟି କରି ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ପ୍ରସ୍ତାବ ନିଆଯାଇଛି । ଏହା ସହିତ ଆସନ୍ତା ୧୪ ତାରିଖ ମଙ୍ଗଳବାର ସକାଳ ୯ରୁ ୧୧ଟା ପର୍ଯ୍ୟନ୍ତ ଚନ୍ଦନପୋଖରୀ ଛକରେ ରାସ୍ତା ଅବରୋଧ କରିବାକୁ ଖରସ୍ରୋତା ମହିଳା ପ୍ରଡ଼୍ୟୁସର ଗୃପ୍ (ପରିବା ଚାଷୀ)ଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ଖରସ୍ରୋତା ଆନ୍ଦୋଳନକୁ ସାଂସ୍କୃତିକ ଆନ୍ଦୋଳନରେ ସାମିଲ କରିବା ପାଇଁ ବିପ୍ଲବୀ କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ଅଭିନେତାମାନଙ୍କୁ ନିବେଦନ କରାଯାଇଛି । ଆଳି ଏବଂ ରାଜକନିକା ଅଂଚଳବାସୀଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାନେଇ ନିବେଦନ କରାଯାଇଛି । ଜେଲଭରୋ ଆନ୍ଦୋଳନ କରାଯିବା ପାଇଁ ମଧ୍ୟ ନିଷ୍ପତି ହୋଇଛି । ଏହି ସର୍ବଦଳୀୟ ବୈଠକରେ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ସଂଗ୍ରାମ ସମିତିର ସଂପାଦକ ବିଧାନ ଦାସ, କୋଷାଧ୍ୟକ୍ଷ ହଳଧର ମଲ୍ଲିକ, ଆଇନଜୀବୀ କ୍ଷୀରୋଦ ରାଉତ, ରଞ୍ଜନ କୁମାର ମଲ୍ଲିକ, ମାଳତୀ ଦାସ, ଶରତ ରାଉତ, ସମିତିର ପ୍ରାକ୍ତନ ଉପାଧ୍ୟକ୍ଷ ମୂରଲୀଧର ବେହେରାଙ୍କ ସହିତ ବିଜେପି ଦଳରୁ ବିଜେପି ନେତା ରଶ୍ମିରଞ୍ଜନ ବେହୁରା, ଜିଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ବିଜେପି ସଭାନେତ୍ରୀ ଅନୁରାଧା ସାମଲ, ବାଦଲ ନନ୍ଦ, ରାଜେନ୍ଦ୍ର ବେହେରା, କ୍ଷୀରୋଦ ପଣ୍ଡା, ସୂର୍ଯ୍ୟକାନ୍ତ ଦାସ ଏବଂ ବେଣୁଧର ପରିଡ଼ା ପ୍ରମୁଖ ଯୋଗଦେଇଥିଲେ । କଂଗ୍ରେସ ଦଳ ପକ୍ଷରୁ ରାଜକନିକା ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ଆଳି ବ୍ଲକ୍ କଂଗ୍ରେସ ସଭାପତି ରବି ନାରାୟଣ ବେହେରା, ମୁଖପାତ୍ର ସତ୍ୟ ପରିଡ଼ା, ଯୁବ କଂଗ୍ରେସ ସଭାପତି ସତ୍ୟ ସାମଲ, ନକୁଳ ପରିଡ଼ା, ଯୁବନେତା କୃତ୍ତିବାସ ଦାସ, ଜିଲା କଂଗ୍ରେସ କୃଷକ ସେଲର ସଂଯୋଜକ ରମାକାନ୍ତ ସାହୁ, ସିପିଆଇ(ଏମ୍) ପକ୍ଷରୁ ଜିଲା ସଂପାଦକ ଗୟାଧର ଧଳ,କାଳିପ୍ରସାଦ ନାୟକ,ଗଙ୍ଗାଧର ମଲ୍ଲିକ,ଦାମୋଦର ଧଳ, ସିପିଆଇଏମ୍ଏଲଏ୍ ପକ୍ଷରୁ ସୀତା ଦାସ, ମହିଳାନେତ୍ରୀ ସବିତା ବରଜ, ବିଜୟ ପଲାଇ, ଅଶୋକ ବଳ, ଏସ୍ୟୁସିଆଇ ପକ୍ଷରୁ ବିଭୂତି ନାୟକ ଏବଂ ଖରସ୍ରୋତା ସାଂସ୍କୃତିକ ପରିଷଦର ସଦସ୍ୟ ସୌଭାଗ୍ୟ ନାୟକଙ୍କ ସହିତ ପ୍ରତି ପଂଚାୟତର ପ୍ରତିନିଧି ମାନେଯୋଗଦେଇ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ପ୍ରସ୍ତାବ ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |