ମାଲକାନଗିରି, ୬ ।୯ : ଗଂଜେଇ ଚାଲାଣ ବେଳେ ଚାଲାଣକାରୀ ଜଣେ ପୋଲିସ ହୋମ ଗାର୍ଡଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଆଜି ସକାଳୁ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡା ଜଙ୍ଗଲରେ କିଛି ଗଞ୍ଜେଇ ଚାଲାଣକାରୀ କାଉଡି ଯୋଗେ ଗଞ୍ଜେଇ ନେଉଥିବା ବେଳେ ପୋଲିସର କିଛି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିବା ପରେ ଗଞ୍ଜେଇ ଚାଲାଣକାରୀମାନେ ଉତ୍ତ୍ୟକ୍ତ ହୋଇ ଜଣେ ହୋମ ଗାର୍ଡଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ହୋମ ଗାର୍ଡ ବନବାସୀ ମହାରଣା ଗୁରୁତର ଆହତ ହୋଇଥିଲେ । ଡାକ୍ତରଖାନା ନେବା ବାଟରେ ହିଁ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ପୋଲିସ ଅପରାଧୀମାନଙ୍କୁ ଧରିବାକୁ ଚେଷ୍ଟା ଚଲେଇଛି ଓ ଶବକୁ ପୋଷ୍ଟ ମୋର୍ଟାମ୍ ପାଇଁ ପଠେଇଦେଇଥିବା ଜଣାପଡ଼ିଛି । ପୋଲିସ କର୍ମୀ ଉପରେ ଆକ୍ରମଣ ଘଟଣା ଜିଲ୍ଲା ପୋଲିସ ମହଲରେ ଉଦବେଗ ସୃଷ୍ଟି କରିଛି। ଏହି ଆକ୍ରମଣ ଓ ହୋମ ଗାର୍ଡଙ୍କ ମୃତ୍ୟୁକୁ ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ଘୋର ନିନ୍ଦା ସହ ମୃତକ ହୋମଗାର୍ଡଙ୍କୁ କିଛି ସରକାରୀ ସହାୟତା ଏବଂ ତାଙ୍କ ପରିବାରରୁ ଜଣକୁ ଚାକିରୀ ବ୍ୟବସ୍ଥା ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଲେଖିବା ସହ ଜିଲ୍ଲା ପୋଲିସର ମୁଖ୍ୟ ଏସ ପିଙ୍କୁ ଭେଟିବା ନେଇ ଜିଲ୍ଲା ହୋମଗାର୍ଡ ସଂଘ ସୂଚନା ଦେଇଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |