ରାଜକନିକାରେ କାଳିଆ ଯୋଜନା ପ୍ରହସନ ପାଲଟିଛି ।
ରାଜକନିକା,୧୪/୬:ଦିନ ରାତି ଜମିରେ ପରିଶ୍ରମ କରି ପନିପରିବା ଚାଷ କରି ପରିଣତ ବୟସରେ ନିଜ ପରିବାର ଚଳାଉଛନ୍ତି ରାଜକନିକା ବ୍ଲକ୍ କାଟଣାବଣିଆଁ ଗ୍ରାମ ପଂଚାୟତ ଖଣ୍ଡେଇତା ଗ୍ରାମର ପ୍ରଦୀପ କୁମାର ମାହୁଁନ୍ତ । ୬୮ ବର୍ଷ ବୟସରେ ବିଲରେ ହଳ କରି ପନିପରିବା ଚାଷ କରୁଛନ୍ତି । ପୋଈ, ବାଇଗଣ, ଭେଣ୍ଡି, ଜହ୍ନି, ପୋଟଳ, କାକୁଡ଼ି ଏବଂ ବିଭିନ୍ନ ଶାଗ ଲଗାଇଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ଲାଗିପଡ଼ିଛନ୍ତି ବିଲରେ । ସକାଳୁ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ପ୍ରଦୀପଙ୍କ ସମୟ କଟୁଛି ବିଲରେ । ପନିପରିବା ଚାଷରୁ ମିଳୁଥିବା ଲାଭରୁ ନିଜ ପରିବାର ଚଳାଉଛନ୍ତି । ହେଲେ ତାଙ୍କ ନିକଟରେ ସରକାରଙ୍କ ଯୋଜନା କିନ୍ତୁ ଅପହଂଚ ହୋଇପଡ଼ୁଛି । ବାରମ୍ବାର କାଳିଆ ଯୋଜନାରେ ଦରଖାସ୍ତ ଦେଇ ଚାଲିଥିଲେ ମଧ୍ୟ ସହାୟତା ପାଇପାରୁନାହାଁନ୍ତି । ଗ୍ରାମପଂଚାୟତ ତାଲିକାରେ ତାଙ୍କ ନାଁ କାଳିଆ ଯୋଜନାରେ ରହିଥିବାର ଦେଖିଥିଲେ । ହେଲେ ତାଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ଆଜି ପର୍ଯ୍ୟନ୍ତ ଆସିପାରି ନାହିଁ । ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୈଡ଼ି ଦୈଡ଼ି ଥକିପଡ଼ିଲେଣି ପ୍ରଦୀପ । ହେଲେ କିଛି ଲାଭ ସେ ପାଇପାରୁ ନାହାଁନ୍ତି । ପନିପରିବା ଚାଷ ନକଲେ ତାଙ୍କ ପରିବାର ଭୋକ ଓପାସରେ ରହିବାକୁ ପଡ଼ୁଛି । ଏହି କାରଣରୁ ଆଜି ପରିଣତ ବୟସରେ ବିଲରେ କଟୁଛି ତାଙ୍କ ଜୀବନ । ଏମିତିକି ପନି ପରିବା ଚାଷ କରି ଚଳିତ ବର୍ଷ ବାତ୍ୟା ‘ୟାସ୍’ରେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି । ହେଲେ ରାଜକନିକା ଉଦ୍ୟାନ ବିଭାଗ ପକ୍ଷରୁ ନାଁ ସହାୟତା ମିଳୁଛି ନାଁ କିଛି ଚାଷ କରିବାକୁ ପ୍ରୋତ୍ସାହନ ମଧ୍ୟ ମିଳିପାରୁ ନାହିଁ । ହେଲେ ଚାଷ କରୁନଥିବା ଶାସକ ଦଳର ଭେଣ୍ଡିଆ ଯୁବକ ମାନେ କାଳିଆ ଯୋଜନାରେ ସରକାରଙ୍କ ଆର୍ଥିକ ସହାୟତା ପାଉଛନ୍ତି । ଗରିବ ଚାଷୀ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରୁ ନାହିଁ । ହେଲେ ପଂଚାୟତରେ ଗୋଟିଏ ପରିବାରକୁ ଦୁଇଟି ଲେଖାଏଁ ଘର ମିଳୁଥିବାର ସେ ଦୁଃଖର ସହିତ କହିଛନ୍ତି । ତାଙ୍କୁ ସରକାରୀ ସହାୟତା ସହିତ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ଜିଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |