ରାଜନଗର, ୧୪/୩ :କଇଁଛ ଅନ୍ତୁଡିଶାଳା ଗହୀରମଥାରେ ଏବେ ମା’ ଅଲିଭ୍ରିଡ୍ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଲକ୍ଷାଧିକ ମା’ କଇଁଛ ଗହୀରମଥାର ବିଭିନ୍ନ ଦ୍ୱୀପ ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଅଣ୍ଡାଦାନ କରୁଛନ୍ତି। ଗହୀରମଥାରେ ସମୂହ ଅଣ୍ଡାଦାନରେ ସାମିଲ ହେଉଥିବା କଇଁଛଙ୍କ ଗତିବିଦ୍ଧି ଜାଣିବାକୁ ଗୋଡ଼ରେ ଅଣ୍ଡା ଦେବା ସମୟରେ ଧାତବ ଫଳକ ଲଗା ଯାଇଥିଲା। ଏଥିମଧ୍ୟରୁ ଅଣ୍ଡାଦାନ ପ୍ରକ୍ରିୟା ସମୟରେ ୪ଟି ମା’ କଇଁଛ ସାମିଲ ହୋଇଛନ୍ତି। ପୂର୍ବବର୍ଷରେ ଧାତବ ଫଳକ ବନ୍ଧା ଯାଇଥିବା ୪ଟି ଅଲିଭ୍ ରିଡ୍ଲେ କଇଁଛ ଚଳିତବର୍ଷ ଗହୀରମଥାର ନାସୀ-୨ରେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛି। ୪ଦିନ ଧରି ନାସୀ-୨ରେ କଇଁଛଙ୍କ ଗଣଅଣ୍ଡାଦାନ ସମୟରେ ଏହି ଧାତବ ଫଳକ ବନ୍ଧା ଅଲିଭ୍ ରିଡ୍ଲେକୁ ବନ ବିଭାଗ କର୍ମଚାରୀମାନେ ଠାବ କରିଥିଲେ। ଗହୀରମଥାରେ ଓ ଋଷିକୂଲ୍ୟାରେ ଅଣ୍ଡା ଦେବା ସମୟରେ ମା’ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ଯାଇଥିଲା। ଚଳିତବର୍ଷ ଗହୀରମଥାରେ ଧାତବ ଫଳକ ବନ୍ଧା ୪ଟି ଅଲିଭ୍ରିଡ୍ଲେ ବାଲୁକା ଶଯ୍ୟାରେ ଗାତ ଖୋଳି ଅଣ୍ଡାଦାନ କରିଛନ୍ତି। ଗହୀରମଥାର ନାସୀ-୨ରେ ୯ ତାରିଖଠାରୁ ବିରଳ ଅଲିଭ୍ ରିଡ୍ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ସୋମବାର ସୁଦ୍ଧା ୫ ଲକ୍ଷ ୩ ହଜାର ୭୧୯ କଇଁଛ ଅଣ୍ଡା ଦେଇ ସାରିଲେଣି। ୯ ତାରିଖରେ ୮୮,୬୦୫, ୧୦ରେ ୨ ଲକ୍ଷ ୧୪ ହଜାର ୫୮, ୧୧ରେ ୧ ଲକ୍ଷ ୭୩ ହଜାର ୪ ଶହ, ୧୨ ତାରିଖରେ ୨୭, ୬୫୬ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଗତିବିଧି ଜାଣିବା ପାଇଁ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ବା ଟ୍ୟାଗିଂ କରାଯାଇଥାଏ। ୨୦୦୨ରେ ଭାରତବର୍ଷର ବିଶିଷ୍ଟ କଇଁଛ ବିଷାରଦ ସ୍ବର୍ଗତ ଚନ୍ଦ୍ର ଶେଖର କର ପ୍ରକୃତିର ବିସ୍ମୟ ଅଲିଭ୍ରିଡ୍ଲେ କଇଁଛଙ୍କର ପ୍ରକୃତ ସ୍ଥାୟୀ ଠିକଣା ଓ ଜୀବନ ଶୈଳୀ ଜାଣିବା ପାଇଁ ପିତଳ ଟ୍ୟାଗ କରିଥିଲେ। ପରବର୍ତ୍ତୀ ସମୟରେ ପିତଳ ଟ୍ୟାଗ ହୋଇଥିବା ଏବଂ ଅଣ୍ଡାଦେଇ ଗଭୀର ସମୁଦ୍ର ଭିତରକୁ ଯାଇଥିବା ମା’ କଇଁଛଙ୍କ ଠିକଣା ପାଇ ନ ଥିଲେ। ସେବେଠୁଁ ଏହି ରହସ୍ୟମୟୀ ସାମୁଦ୍ରିକ ଜୀବ ଅଲିଭ୍ ରିଡ୍ଲେଙ୍କ ଜୀବନ ଶୈଳୀ ସମ୍ପର୍କରେ ଜାଣିବାକୁ ରାଜନଗର ବନ ବିଭାଗ ପକ୍ଷରୁ ୪ଟି ଅଣ୍ଡା ଦେଇଥିବା ମା’ କଇଁଛଙ୍କ ଗୋଡରେ ଧାତବ ଫଳକ ଲଗା ଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |