ରାଜନଗର,୧୨ ।୩: ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି |ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ଏବେ ଅଲିଭ ରିଡଲେ କଇଁଛର ଚାଲିଛି ପ୍ରଜନନ ଋତୁ। ଗୁରୁବାର ଓ ଶୁକ୍ରବାର ମଧ୍ୟରେ ୩ଲକ୍ଷ ୨ ହଜାର ମାଆ କଇଁଛ କୂଳକୁ ଅଣ୍ଡା ଦେବା ପାଇଁ ଆସିଥିଲେ। ପ୍ରଥମଦିନ ୮୮ହଜାର ଓ ଦ୍ୱିତୀୟ ଦିନରେ ୨ଲକ୍ଷ ୧୪ ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ଗତକାଲି ସଂଧ୍ୟାରୁ ହଠାତ୍ ଦଳ ଦଳ ହୋଇ କଇଁଛମାନେ ଗହୀରମଥାର ନାସୀ–୨ ବାଲୁକା ଶଯ୍ୟାକୁ ଉଠି ସମୂହ ଅଣ୍ଡାଦାନରେ ସାମିଲ ହୋଇଥିଲେ। ଆଜି ଭୋର ଯାଏ ଏହି ପ୍ରକ୍ରିୟା ଜାରି ରହିଥିଲା। ୨ ଦିନରେ ୩ ଲକ୍ଷ ୨ହଜାର ୫୮ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପ୍ରଥମ ଦୁଇ ଦିନରେ ଏହି ସଂଖ୍ୟା ଭଲ ଥିବାରୁ ଓ କଇଁଛମାନେ କୂଳରେ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ ଅଣ୍ତାଦାନ ହେବା ନେଇ ଆଶା ପ୍ରକାଶ ପାଇଛି।କେବଳ ନାଶୀ-୨ ରେ ଏହି କଇଁଛ ଅଣ୍ଡା ଦେଇଛନ୍ତି। ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ମଧ୍ୟରେ ଏହି କଇଁଛଗୁଡ଼ିକ ସମୁଦ୍ରରୁ ଦଳଦଳ ହୋଇ ଆସି ବାଲୁକା ଶଯ୍ୟାରେ ପ୍ରାୟ ଦେଢ଼ ଫୁଟରୁ ଦୁଇ ଫୁଟ ନିଜ ଗୋଡ଼ରେ ଗାତ ଖୋଳି ୮୦ରୁ ୧୨୦ ବା ୧୩୦ ପର୍ଯ୍ୟନ୍ତ ଅଣ୍ଡା ଦେବା ପରେ ବାଲି ଘୋଡାଇ ଦେଇଥାନ୍ତି। ଏହାପରେ ସମୁଦ୍ରକୁ ଚାଲି ଯାଇଥାଆନ୍ତି। ଏହି ଅଣ୍ଡାଦାନ ସମୟରେ ଓ ପରେ ଛଞ୍ଚାଣ , କାଉ, ସମୁଦ୍ର କାଉ, ଗୋଧି, ବିଲୁଆ କୁକୁର ପ୍ରଭୃତି ଜୀବଜନ୍ତୁ ସେମାନଙ୍କୁ ମାରିଦେବା ସହ ସେମାନଙ୍କ ଅଣ୍ଡା ଖାଇ ଦେଇଥାନ୍ତି। ସେମାନଙ୍କ ଦାଉରୁ ସୁରକ୍ଷା ଦେବା ପାଇଁ ୧୬ଟି ଦଳ ଗଠନ କରାଯାଇଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |