ରାଜକନିକା,୨/୧୦:ଆଜି ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ । ଏହି ଦିନରେ କେମିତି ଗାନ୍ଧୀଙ୍କ ପ୍ରତିମୂର୍ତିକୁ ରଙ୍ଗ କରାଯିବ । ଆଉ ସଫା ସୁତରା କରି ପୂଜାକରାଯିବ । ବେକରେ ଫୁଲମାଲ ଟିଏ ପକାଇ ମହାତ୍ମା ଗାନ୍ଧୀଙ୍କ ଜୟଗାନ କରିବେ ଏହି ଚିନ୍ତାରେ ଅକ୍ଷୟଙ୍କ ଆଖିରେ ନିଦ ନାହିଁ । ସକାଳୁ ସକାଳୁ ଅକ୍ଷୟ ସଜବାଜ୍ ହୋଇ ପହଂଚି ଯାଆନ୍ତି ଗାନ୍ଧୀ ମୂର୍ତି ପାଖକୁ । ସ୍କୁଲ ପିଲାମାନଙ୍କ ସହିତ ସ୍ଥାନୀୟ ଲୋକମାନଙ୍କୁ ଡ଼ାକି ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଚନ୍ଦନ ଦେଇ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ..’କୁ ଭକ୍ତି ଗଦ୍ ଗଦ୍ରେ ଗାଇ ଉଠନ୍ତି ଅକ୍ଷୟ । ଗାନ୍ଧୀ କଥା ହେଉକି ଗାନ୍ଧୀଙ୍କ ବିଚାର ଧାରାରେ ଉଦ୍ବୁଦ୍ଧ ହୋଇ ଦେଶ ସେବାରେ ନିୟୋଜିତ ହୋଇଥିଲେ ରାଜକନିକା ବ୍ଲକ୍ ଓଳାଭର, ସାତ ଘରିଆ ଗାଁର ଅକ୍ଷୟ କୁମାର ନାଥ । ଜଣେ ସୈନିକ ଭାବେ ଦେଶ ମାତୃକାର ସେବା କରି ସେ ଅବସର ନେଇଛନ୍ତି । ହେଲେ ଅବସର ପରେ ନିଜ ଜନ୍ମମାଟିକୁ ଫେରିବା ପରେ ସେବା ମନୋଭାବରୁ ସେ କେବେ ବିଚ୍ୟୁତ ହୋଇନାହାଁନ୍ତି । ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ହେଉକି କୌଣସି ସାମାଜିକ କାର୍ଯ୍ୟକ୍ରମରେ ସେ ସବୁ ବେଳେ ହାଜର ହୋଇଯାଆନ୍ତି । ଆଳି, ଓଳାଭର ଏବଂ ରାଜକନିକା ଅଂଚଳରେ ଏମିତି କୌଣସି କାର୍ଯ୍ୟକ୍ରମ ନାହିଁ ଯେଉଁଠି ଅକ୍ଷୟଙ୍କ ଉପସ୍ଥିତି ନଥିବ । କିଏ ଡ଼ାକୁ ବା ନଡ଼ାକୁ ହେଲେ ସହଯୋଗ କରିବାରେ ପହଂଚି ଆଉଥିଲେ ସେ । ଏହା ସହିତ ନିଜ ଅଂଚଳରେ ଚାରା ରୋପଣ ଠାରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, କ୍ରୀଡ଼ା ଠାରୁ ସୈନିକ ହେବା ନେଇ ଯୁବକ ମାନଙ୍କୁ ପ୍ରେରଣା ଦେବାରେ ତ ସବୁ ବେଳେ ଅକ୍ଷୟ ଆଗରେ ରହନ୍ତି । ଏସବୁ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ସ୍ଥାପନ କରିବାର ମୋହରେ ପଡ଼ିଯାଇଛନ୍ତି ଅକ୍ଷୟ । ପ୍ରତି ବର୍ଷ ସେ ନିଜ ପେନ୍ସନ୍ ପଇସାରୁ ଏହି ଗାନ୍ଧୀ ଜୟନ୍ତୀରେ କେଉଁଠି ନା କେଉଁଠି ପ୍ରତିମୂର୍ତି ସ୍ଥାପନ କରିବାରେ ଲାଗିପଡ଼ିଛନ୍ତି । ଗତ କିଛି ବର୍ଷ ହେବ ଅକ୍ଷୟ ଓଳାଭର କଲେଜ, ଅକ୍ସଫୋଡ଼୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଓଳାଭର ପତଞ୍ଜଳି ସମିତିର ଦୂର୍ଗା ମନ୍ଦିର ସନ୍ନିକଟ, ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରିସାରିଲେଣି । ଚଳିତ ବର୍ଷ ବାଳିକା ବିଦ୍ୟାଳୟ ପରିସରରେ ଅକ୍ଷୟ ଜାତିର ପିତା ମହାତ୍ମାଙ୍କ ପ୍ରତିମୂର୍ତି ସ୍ଥାପନ କରିଛନ୍ତି । ଏହା ସହିତ ଆଗାମୀ ଦିନ ମାନଙ୍କରେ ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରାଯିବା ନେଇ କହନ୍ତି ଅକ୍ଷୟ । ଆଜି ଭାରତର ସ୍ୱାଧୀନତା ଆନ୍ଦୋଳନର କଥା ଲୋକେ ପାସୋରି ଦେଲେଣି । ଯୁବ ସମାଜ ଗାନ୍ଧୀ ଆଦର୍ଶ କଥା ଭୁଲିଯାଉଛନ୍ତି । ଆମ ସମାଜରେ ଗାନ୍ଧୀଙ୍କ ଆଦର୍ଶ ଓ ବିଚାର ଧାରାକୁ ଧୀରେ ଧୀରେ ଲୋକେ ଭୁଲିଗଲେଣି । ତାଙ୍କ ଶ୍ରେଷ୍ଠ ଦର୍ଶନ ଥିଲା ଅହିଂସା । ହେଲେ ଏବେତ ହିଂସା ଆମ ସମାଜକୁ କବଳିତ କରିଚାଲିଛି । ମୋ ଜେଜେ ଉଦୟକର ନାଥ ପାଦରେ ଚାଲି ଚାଲି ଗାନ୍ଧୀଙ୍କ ଦେଖିବାକୁ କେନ୍ଦ୍ରାପଡ଼ା ଯାଇଥିଲେ । ଗୋଟିଏ ରାତି ସେଇଠି ସେ କଟାଇଥିଲେ । ପିଲାଦିନୁ ତାଙ୍କ ପ୍ରତି ମୋର ଦୁର୍ବଳତା ରହିଆସିଛି । ଏହି କାରଣରୁ ମୁଁ ମହାତ୍ମାଙ୍କ ଅମୂଲ୍ୟ ବାଣୀକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପ୍ରତିମୂର୍ତି ସ୍ଥାପନ କରିଚାଲିଛି । ଅନ୍ତତଃ ଆଗାମୀ ପିଢ଼ି ଯେମିତି ବାପୁଙ୍କୁ ଭୁଲି ନଯାଆନ୍ତୁ । ଅକ୍ଷୟଙ୍କ ଗାନ୍ଧୀପ୍ରୀତି ସତରେ ବଡ଼ ଚମତ୍କାର । ଗାନ୍ଧୀଙ୍କୁ ଭଲ ପାଇବା ଭିତରେ ତାଙ୍କର ଏକ ନାତି ‘ସ୍ୱାଧୀନ’ ଏଇ ଅକ୍ଟୋବର ୨ରେ ଜନ୍ମଗ୍ରହଣ କରିଛି । ଏହି ଘଟଣାପରେ ସେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ଗାନ୍ଧୀଙ୍କ ନୀତି ଆଦର୍ଶର କଥାକୁ ପ୍ରଚାର ପ୍ରସାର କରୁଥିବା ଅକ୍ଷୟଙ୍କୁ ସବୁବେଳେ ତାଙ୍କ ସ୍ତ୍ରୀ ଜୟନ୍ତୀ, ପୁଅ ସତ୍ୟଜିତ୍, ସମୀର ଏବଂ ବୋହୂ ମାନସୀ ସହଯୋଗର କରିଚାଲିଛନ୍ତି । ଅକ୍ଷୟଙ୍କ ଗାନ୍ଧୀପ୍ରୀତି ବଂଚି ରହୁ, ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉ, ଏହାହିଁ କାମନା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |