ରାଜକନିକା,୩୧/୫: ରାଜକନିକା ବ୍ଲକ୍ ଅନ୍ତର୍ଗତ ଗଂଜା ଗ୍ରାମର ଆଶା ହେଉଛନ୍ତି କବିତା ବେହେରା । ୪୦ ବର୍ଷୀୟ ଏହି ମହିଳା ଜଣକ ଦୀର୍ଘ ଏକ ବର୍ଷ ଧରି କରୋନା ମୁକାବିଲା କରିବାରେ ଲାଗିପଡ଼ିଛନ୍ତି । ହେଲେ ଘରଘର ବୁଲି ସେବା କରୁଥିବା କବିତାଙ୍କ ପରିବାର ଏବେ ଅସହାୟ ହୋଇପଡ଼ିଛନ୍ତି । ନିଜର ଥିବା ଖଣ୍ଡେ ଚାଳଘରକୁ ଛପର କରିପାରୁ ନାହାଁନ୍ତି । ବାତ୍ୟା ୟାସ୍ରେ ପରଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଥିଲେ । ପଡ଼ୋଶୀଙ୍କ ବିରୋଧ ଯୋଗୁ ସେ ଛପର କରିପାରୁ ନାହାଁନ୍ତି ତାଙ୍କର ଚାଳଘର । ଏହି କାରଣରୁ ସେ ଉପଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ଉପଜିଲାପାଳ କନିକା ତହସିଲଦାର ଏବଂ ରାଜକନିକା ଥାନାକୁ ଲିଖିତ ଭାବେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦୀର୍ଘ ଦୁଇ ମାସ ହେବ କବିତା ଏବଂ ତାଙ୍କ ସ୍ୱାମୀ ବିଜୟ ଓ ତିନି ପୁଅ ଅନ୍ୟଘରେ ଆଶ୍ରୟ ନେଉଛନ୍ତି । ବର୍ଷାରେ ଘର ଭିତରେ ପାଣି ପଡ଼ି ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି । ହେଲେ ଅଭିଯୋଗ ଶୁଣିବାକୁ କେହି ନାହାଁନ୍ତି । ତାଙ୍କ ସ୍ୱାମୀ ବହୁବାର ରାଜକନିକା ଥାନାରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ରହୁଥିବା ବେଳେ କୌଣସି କଥା ବୁଝୁନଥିବାର ତାଙ୍କ ସ୍ୱାମୀ ବିଜୟ ସେନାପତି ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଶା ମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଗଂଜା ଗ୍ରାମର ଆଶା ଆଜି ଅସହାୟ ହୋଇପଡ଼ିଛନ୍ତି । ଆବାସ ଯୋଜନାରେ ନାଁ ତାଙ୍କୁ ଘର ଖଣ୍ଡିଏ ମିଳିପାରିଛି, ନାଁ ଚାଳ ଘରକୁ ଛପର କରିବାକୁ ପୁଲିସ ପ୍ରଶାସନର ସହାୟତା ମିଳୁଛି । ଏମିତିକି ବାତ୍ୟା ପୂର୍ବରୁ କନିକା ତହସିଲଦାର ତାଙ୍କୁ ଖଣ୍ଡେ ପାଲ ମଧ୍ୟ ଦେବାକୁ ମନା କରିଦେଇଥିଲେ । ଏଭଳି ଅସହାୟ ଜୀବନ ବିତାଉଥିବା କବିତା ନିଜର ଦୁଃଖକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ପ୍ରକାଶଥାଉକି କବିତା ଆଶା ଭାବରେ କେନ୍ଦ୍ରାପଡ଼ା ଜିଲାରେ ଶ୍ରେଷ୍ଠ ଭାବେ ନିଜର କାର୍ଯ୍ୟ ସମ୍ପାଦନା କରି ଜିଲାପାଳଙ୍କ ଠାରୁ ପୁରସ୍କାର ପାଇଛନ୍ତି । ଗ୍ରାମର ପ୍ରାୟ ତିନି ହଜାର ଲୋକମାନଙ୍କ ଘରେ ଘରେ କରୋନାକୁ ନଡ଼ରି ସଚେତନ ହେଲେ କରୋନା ଯୁଦ୍ଧରେ ଆମେ ବିଜୟୀ ହେବା ନେଇ କହୁଛନ୍ତି କବିତା । ଲୋକମାନଙ୍କୁ ଘରୁ ନବାହାରିବା ସହିତ ମୁହଁରେ ମାସ୍କ ବାନ୍ଧିବାକୁ ସଚେତନତା କରାଉଛନ୍ତି । ଏହା ସହିତ ସାମାଜିକ ଦୂରତାକୁ ମାନିବାକୁ ସମସ୍ତଙ୍କୁ ବୁଝାଉଛନ୍ତି । କବିତା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ କଥାକୁ ବି ବୁଝୁଥିଲେ । ଆଉ ଗ୍ରାମରେ ଜ୍ୱର, ଥଣ୍ଡା, କାଶ ହେଉଥିବା ଲୋକମାନଙ୍କୁ ଔଷଧ ଦେଇ ତାଙ୍କ ସ୍ୱାସ୍ଥ୍ୟ ଉପରେ ୨୪ ଘଂଟା ନଜର ରଖୁଛନ୍ତି । ଏଭଳି କାମତ ଏଇ ବର୍ଷକର । ହେଲେ ରାତି ଦିନ ଆସନ୍ନ ପ୍ରସବାଙ୍କ ଭରସା ହେଉଛନ୍ତି ଏହି କବିତା ଦିଦି । କି ବରଷା, କି ଶୀତ କି ଖରା ଏମିକତି ବେଳ ଅବେଳରେ ପ୍ରସବାଙ୍କ ଡ଼ାକରା ପାଇଲେ ଘରଦ୍ୱାରା ପିଲାଛୁଆଙ୍କୁ ଛାଡ଼ି କବିତା ବାହାରି ପଡ଼ନ୍ତି ରାଜକନିକାରୁ କେନ୍ଦ୍ରାପଡ଼ା ଜିଲା ସ୍ୱାସ୍ଥ୍ୟକେନ୍ଦ୍ର । ଏମିତିକି ଘର ଦ୍ୱାର ଛାଡ଼ି ଦୁଇ ତିନି ଦିନ ଡ଼ାକ୍ତରଖାନା ବାରଣ୍ଡାରେ ବିତାଇ ପିଲା ଜନ୍ମ ହେବା ପରେ ପୁଣି ନିଜ ଘରରୁ ଫେରିଆସନ୍ତି କବିତା । ଅଳ୍ପ ପଇସା ଦରମା ପାଉଥିବା କବିତାଙ୍କର ରହିଛି ମାତୃଜାତି ପ୍ରତି ଅହେତୁକ ମମତା । ଘର ଚଳେଇବା ପାଇଁ ମାସିକ ଦରମା ଅଟୁଂନଥିଲେ ମଧ୍ୟ ସେ କେବେ ତାଙ୍କ କର୍ତବ୍ୟରୁ ଅବହେଳା କରିନାହାଁନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |