ଚାଷୀଙ୍କ ପାଖରେ ପହଂଚିପାରୁନି ପ୍ରଶାସନ, ସିକୋରେ ଆନ୍ଦୋଳନ ଧମକ ଦେଲେ, ଭାମଣ୍ଡାରେ ତାତିିଲେ ଚାଷୀ ।

ରାଜକନିକା,୮/୯(ଓଡିଆନ ମିଡିଆ): ବନ୍ୟା ଛାଡ଼ିଯିବାର ଏକ ସପ୍ତାହ ବିତିଲାଣି । ଧାର କରଜ ଆଉ ଋୁଣ କରି ଚାଷ କରିଥିବା ଗରିବ ଚାଷୀ ବିଲ ମୁଣ୍ଡରେ ବସି ବାହୁନୁଛନ୍ତି । କେତେ କଷ୍ଟ କେତେ ଯନ୍ତ୍ରଣାରେ ବୁଡ଼ି ଚଳିତ ବର୍ଷ ଚାଷ କରିଥିଲା ଚାଷୀ । ସହଜେ ଲଗାଣ ବର୍ଷା ଆଉ ଲଘୁଚାଷ ବର୍ଷାରେ ଫସଲ ବିଗିଡ଼ିଯାଇଥିଲା । କିଛି ଆଶା ଆଉ ଭରସା ରଖିଥିଲା ଚାଷୀ । କିଛି ନହେଲେ ଅମଳ କରିବ ଧାନ । ହେଲେ ସେହି ଆଶା ଆଉ ଭରସା ଆଜି ବନ୍ୟା ଛଡ଼ାଇ ନେଇଛି । ବିଚରା ଚାଷୀ ଏବେ କ’ଣ କରିବ ସେହି ଚିନ୍ତାରେ ରହିଛନ୍ତି । ଦଳ ଦଳ ହୋଇ ଚାଷୀମାନେ ନିଜ ନିଜ ବିଲରେ ବୁଲୁଛନ୍ତି । କାଳେ କିଛି ଫସଲ ବଂଚିଯିବକି ? ଏଭଳି ଭାବୁଛନ୍ତି । ହେଲେ ଚାଷୀଙ୍କ ଭାବନାରେ ସତ ହୋଇପାରୁ ନାହିଁ । ବିଲରେ ଧାନ ଗଛ ପଚି ଯାଇଛି । ଅନେକ ଚାଷ ଜମିରେ ପାଣି ଏବେବି ଜମି ରହିଛି । ଫସଲ ଅମଳ କରିବା ଆଶା ଛାଡ଼ିଦେଇଛନ୍ତି । ହେଲେ ରାଜକନିକା ବ୍ଲକ୍‌ରେ ଚାଷୀମାନଙ୍କ କ୍ଷୟକ୍ଷତିର ଆକଳନ କରିବାରେ ପ୍ରଶାସନ ପହଂଚିପାରିନଥିବାର ଜଣାପଡ଼ିଛି । ଏହି କାରଣକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସିକୋରେ ଚାଷୀମାନେ ଆନ୍ଦୋଳନର ଡ଼ାକରା ଦେଇଥିବା ବେଳେ ଭାମଣ୍ଡାରେ ଚାଷୀମାନେ ତାତିଲେଣି । ରାସ୍ତାରେ ଚାଷୀମାନେ ଆନ୍ଦୋଳନ ଆରମ୍ଭ କରିଦେଲେଣି । ରାଜକନିକା ବ୍ଲକ୍‌ର ୨୯ଟି ପଂଚାୟତରେ ଚଳିତ ବର୍ଷ ଧାନ ଫସଲ ସହିତ ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି । ହେଲେ ବନ୍ୟା ଛାଡ଼ିଯିବା ପରେ ବ୍ଲକ୍ ପ୍ରଶାସନ, କୃଷି ଅଧିକାରୀ କିମ୍ବା ଜନ ପ୍ରତିନିଧି କେହି ହେଲେ ଚାଷୀଙ୍କ ପାଖରେ ପହଂଚି ଟିକିଏ ସମବେଦନା କି କ୍ଷୟକ୍ଷତିର ତଦାରଖ କରିପାରି ନାହାଁନ୍ତି । ଏହି କାରଣକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଉତେଜନା ଦେଖାଦେଇଛି । ଭାମଣ୍ଡାରେ ପ୍ରାୟ ଶତାଧିକ ଚାଷୀ ରାସ୍ତାରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି ।Rajkanika 2

କାହିଁକି ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ଏବଂ କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବାକୁ ଆସିପାରୁ ନାହାଁନ୍ତି, ସେ ସଂପର୍କରେ ଜିିଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଚାଷୀ । ୧୫ ଦିନ ବିତିଯାଇଥିଲେ ମଧ୍ୟ କାହାରି ଦେଖା ଦର୍ଶନ ମିଳିପାରି ନାହିଁ । ଭାମଣ୍ଡାରେ ଶହଶହ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ପାଣିରେ ବୁଡ଼ି ରହିଥିଲେ ମଧ୍ୟ କେହି ଦେଖିଲେ ନାହିଁ । ବିଧାୟକ, ବ୍ଲକ୍ ଅଧ୍ୟକ୍ଷା କେହି ଆମ ଅଂଚଳ ବୁଲି ଦେଖିଲେ ନାହିଁ । ଆମର ଖାଲୁଆ ବିଲ କାରଣରୁ ଅଧିକ କ୍ଷତି ହୋଇଥିବାର ବୋଲି ସୁବ୍ରତ ନାୟକ କହନ୍ତି । ପ୍ରାୟ ପାଂଚଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିରହିଛନ୍ତି । ସନ୍ତୋଷ କୁମାର ବିଶ୍ୱାଳ, ଉମାକାନ୍ତ ସାମଲ, ବିଶ୍ୱନାଥ ସାମଲ, ରମେଶ ଚନ୍ଦ୍ର ନାୟକ, ମନୋରଞ୍ଜନ ସାମଲ, ଶରତ ଚନ୍ଦ୍ର ମହାପାତ୍ର, ମନୋଜ ନାୟକ ଏବଂ ମନୋରଞ୍ଜନ ସାମଲ ପ୍ରମୁଖ ଚାଷୀମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଉଠା ଜଳସେଚନର ପଏଟଂ ରହିଥିଲେ ମଧ୍ୟ ୧୫ ବର୍ଷ ହେବ ଅକାମି ହୋଇପଡ଼ିଛି । ଏଥିପ୍ରତି ମଧ୍ୟ କେହି ଦୃଷ୍ଟି ଦେଉ ନାହାଁନ୍ତି । ଆମ ସମସ୍ୟା ବୁଝାନଗଲେ ଆଉ ଆମ କ୍ଷତିର ଭରଣା କରାନଗଲେ ଆନ୍ଦୋଳନ କରାଯିବା ନେଇ ଚାଷୀମାନେ କହିଛନ୍ତି । ସେହିଭଳି ସିକୋ ପଂଚାୟତରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ପାରି ନାହିଁ । ଏହି କାରଣରୁ ଚାଷୀମାନେ ତହସିଲ ଘେରାଉ କରିବେ ବୋଲି ଯୁବ କଂଗ୍ରେସ ନେତା ଗଙ୍ଗାଧର ବେହେରା କହିଛନ୍ତି । ମନ୍ମଥ ସାହୁ, ସରୋଜ ମହାପାତ୍ର, ଗୟାଧର ରାଉତ, ଦୀନବଂଧୁ ରାଉତ, ସୁରଥ ପରିଡ଼ା, ମହେଶ୍ୱର ବେହେରା, ଅନ୍ତର୍ଯ୍ୟାମୀ ସାହୁ, ବିଷ୍ଣୁ ଚରଣ ସେଠୀ, ଶଙ୍କର୍ଷଣ ଜେନା, ଗୋବର୍ଦ୍ଧନ ନାୟକ, ବସନ୍ତ ନାୟକ, ମହନି ପରିଡ଼ା, ମୂରଲୀ ପରିଡ଼ା, ଅଭିମନ୍ୟୁ ପରିଡ଼ା, ସହଦେବ ବେହେରା ବେଣୁଧର ମଲିକ୍‌, ମହେଶ୍ୱର ମଲିକ ଏବଂ କରୁଣାକର ମଲିକ ବ୍ଲକ୍ ପ୍ରଶାସନର ଉପେକ୍ଷା କାରଣରୁ ତହସିଲ ଆଗରେ ଆନ୍ଦୋଳନ କରାଯିବା ନେଇ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଛନ୍ତି । ରାଜକନିକା ବ୍ଲକ୍‌ରେ ଚାଷୀଙ୍କ ପାଖରେ ପ୍ରଶାସନ ଏବଂ କୃଷି ଅଧିକାରୀ ପହଂଚି ନଥିବାର ଘଟଣା ସଂପର୍କରେ ରାଜକନିକା ବିଡ଼ିଓ ତଥା କନିକା ତହସିଲଦାର ବିକ୍ରମ କିଶୋର ପରିଡ଼ା କହିଛନ୍ତିଯେ, ସରକାର ୧୫ ତାରିଖ ପର୍ଯ୍ୟନ୍ତ ରିପୋର୍ଟ ଦାଖଲ କରିବାର ସମୟ ରଖିଛନ୍ତି । ଆମେ ସେହି ତାରିଖ ସୁଦ୍ଧା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦାଖଲ କରିବୁ ।

ଚାଷୀଙ୍କ ପ୍ରତି ବ୍ଲକ୍ ପ୍ରଶାସନର ଆନ୍ତରିକତା ନାହିଁ ।
ଚଳିତ ବର୍ଷ ବନ୍ୟା ରାଜକନିକା ବ୍ଲକ୍‌ର ୨୯ଟି ପଂଚାୟତରେ ବ୍ୟାପକ ଭାବେ ଫସଲ ନଷ୍ଟ କରିଦେଇଛି । ଏକ ପ୍ରକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ହେଲେ ଏଥିପ୍ରତି ରାଜକନିକା ବ୍ଲକ୍ ପ୍ରଶାସନ କୌଣସି ଗୁରୁତ୍ୱ ଦେଉନଥିବାର ଜଣାପଡ଼ିଛି । ଏମିତିକି ଚାଷ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହାର ଆକଳନ ହୋଇପାରି ନାହିଁ । ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଖରେ କେହି ପହଂଚିପାହି ନାହାଁନ୍ତି । ରାଜକନିକା ବ୍ଲକ୍‌ରେ କୃଷି ଅଧିକାରୀ ନାହାଁନ୍ତି । ସେହି ଭଳି ରାଜକନିକା ଭଳି ଏକ ସମ୍ବେଦନଶୀଳ ବ୍ଲକ୍‌ରେ ସ୍ଥାୟୀ ବିଡ଼ିଓ ଏବଂ ତହସିଲଦାର ମଧ୍ୟ ନାହାଁନ୍ତି । ଏହି କାରଣରୁ ଜନପ୍ରତିନିଧିଙ୍କର ଲୋକମାନଙ୍କ ପ୍ରତି କେତେ ଦରଦ ତାହା ଜଣାପଡ଼ୁଛି ।Gangadhra behera Rajkanika

ଗଙ୍ଗାଧର ବେହେରା, ଯୁବ କଂଗ୍ରେସ ନେତା, ରାଜକନିକା ବ୍ଲକ୍ ।

ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ ନାହିଁ ।
ପ୍ରଥମେ ସ୍ୱଳ୍ପ ବୃଷ୍ଟି, ତା ପରେ ଲଘୁଚାଷ ବର୍ଷା । ସେଥିରୁ ମୁକୁଳି ନଥିବା ବେଳେ ଆସିଲା ବନ୍ୟା । ଆମେ କେମିତି ବଂଚିବୁ । ମୁଁ ଗରିବ ଚାଷୀ ଟିଏ । ଧାର କରଜ କରିଛି । ୩ ଏକର ଜମିରେ ଚଳିତ ବର୍ଷ ଚାଷ କରିଥିଲି । ହେଲେ ସବୁ ଭାସିଗଲା । ଫସଲ ନଷ୍ଟ ହୋଇଯାଇଛି । ବିଲକୁ ଗଲେ ଆଖିରୁ ଲୁହ ଆସିଯାଉଛି । ବଂଚିବାକୁ ଇଛା ହେଉ ନାହିଁ । କେମିତି ବର୍ଷକ ପିଲାଛୁଆଙ୍କ ମୁହଁରେ ଦାନା ମୁଠେ ଦେବି । ଆଉ କେମିତି ଧାର ଟଙ୍କା ସୁଝିବି, ସେହି ଚିନ୍ତାରେ ରହିଛି । ସରକାରଙ୍କର ଆମ ପ୍ରତି ଦରଦ ନଥିବା ଭଳି ଲାଗୁଛି । କେହି ଆସିଲେନି । ଆମେ କେମିତି ବଂଚିବୁ ?
Mahani Parida Rajkanika

ମହନି ପରିଡ଼ା , ଚାଷୀ, ସିକୋ, ରାଜକନିକା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!