ଛତର୍ ଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି

କଳାହାଣ୍ଡି ,୦୨/୧୦: ଆସନ୍ତାକାଲି ମାଁ ମାଣିକେଶ୍ବରୀଙ୍କ ପ୍ରଶିଦ୍ଧ ଛତର୍‌ ଯାତ୍ରା । ସେଥିପାଇଁ କଳାହାଣ୍ଡି ଚଳଚଞ୍ଚଳ। ଆସ୍ଥା ବିଶ୍ବାସ ଓ ହଜାର ହଜାର ବର୍ଷର ପରମ୍ପରାରୁ ଚାଲି ଆସିଛି ମା’ ମାଣିକେଶ୍ବରୀଙ୍କ ଏହି ଯାତ୍ରା ।  ଗର୍ଭ ଗୃହରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ ମା’। ଆଉ ସେହି ଅମୃତ ବେଳାକୁ ଅପେକ୍ଷା କରି ଚାହିଛନ୍ତି ମା’ଙ୍କ ଆଗମନକୁ। ଏଥିପାଇଁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବ୍ୟାପକ ଶୃଙ୍ଖଳା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗତ ଦୁଇ ବର୍ଷ କରୋନା ସଂକ୍ରମଣ ପାଇଁ ବିନା ଭକ୍ତରେ ଛତର୍‌ ଯାତ୍ରା ପାଳନ ହୋଇଥିବା ବେଳେ ଚଳିତ ବର୍ଷ କରୋନା ସଂକ୍ରମଣ କମିଛି । ଏଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଓ ରାଜ୍ୟ ବାହାରୁ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଲାଣି।  କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତ୍ର ଯାତ୍ରା । ଏଥିପାଇ ଚଳଚଞ୍ଚଳ ହୋଇ ପଡିଛି ଭବାନିପାଟଣା ସହର। ମା’ଙ୍କ ଦଶହରା ପୂଜା ଆରମ୍ଭ ହୁଏ ଆଶ୍ବିନ କୁଷ୍ଣପକ୍ଷ ମୁଳାଷ୍ଟମି ଦିନ। ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ୱରୀ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ । ମହାଷ୍ଟମୀ ରାତିରେ, ଗୁପ୍ତପୂଜା ପରେ ମା’ଙ୍କ ଛତର୍‌କୁ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲକୁ ନିଆଯାଇଥାଏ। ଜେନାଖାଲରେ ଗୁପ୍ତ ପୂଜା ପରେ ମହାନବମୀର ପ୍ରାତଃ କାଳରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା ପାଇଁ ଜେନାଖାଲ ଠାରୁ ମନ୍ଦିର ପ୍ରାୟ ୪ କି.ମି ପଥରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଲାଲଛିଟ ଓ କଳା ଛିଟ କନାରେ ଆବୃତଦେବୀଙ୍କ ଛତର୍‌ ପଥ ଅତିକ୍ରମ କରି ମନ୍ଦିରକୁ ପ୍ରବେଶ କରିଥାନ୍ତି । ରାସ୍ତାରେ ଛତରକୁ ଧୂପ, ଦୀପ, ନୈବଦ୍ୟ ଅର୍ପଣ କରିବା ଓ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର୍‌ ଉପରେ ଉଡ଼ାଇବାର ପରମ୍ପରା ବି ଦେଖିବାକୁ ମିଳେ । ଏପରିକି ଶାନ୍ତିର ପାରା ଛତର୍‌ ଉପରେ ବସି ମନ୍ଦିରକୁ ଯିବା ଦେବୀଙ୍କ ପ୍ରତ୍ୟକ୍ଷତା ବୋଲି ବିଶ୍ୱାସ ରହିଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ଦେଇଛି। ୧୦୦ ଜଣ ବରିଷ୍ଠ ପୋଲିସ ଅଫିସର,  ଅତିରିକ୍ତ ଏସପି , ୮ଜଣ ଡିଏସପି, ୧୮ ଜଣ ଆଇଆଇସି , ୩୨ ଜଣ ଏସଆଇ , ୫୦ ଜଣ ଏଏସଆଇ ନିୟୋଜିତ ହୋଇଛନ୍ତି । ସେହିପରି କଳାହାଣ୍ଡିର ବିର ବାଦ୍ୟ ଘୁମୁରା ସହ ୨୨ ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: