ସୋନପୁର,୨୨ା୩:ସ୍କୁଲରୁ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ । ସୁବର୍ଣ୍ଣପୁର-ବିନିକା ରାସ୍ତାର ଶରଧାପାଲି ଛକରେ କାର ଧକ୍କାରେ ୨ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଏବଂ ତୃତୀୟ ଛାତ୍ରର ବୁର୍ଲା ଯିବା ବାଟରେ ମୃତ୍ୟୁ ହୋଇଛି । ସୋନପୁରର ସଦର ବ୍ଲକ୍ର ଶରଧାବାଲି ସ୍କୁଲଠାରେ କାର୍ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ମୁତାବକ ଆଜି ପ୍ରାୟ ୧୧ଟାରେ ସୋନପୁର ଥାନା ଅନ୍ତର୍ଗତ ଅର୍ଜୁନପୁର ପଟରୁ ବିନିକା ଠାରୁ ଏକ କାର ଦ୍ରୁତଗତିରେ ଯାଉଥିବା ବେଳେ ଶରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ନିକଟରେ ପରୀକ୍ଷା ଦେଇ ଘରକୁ ବାହାରୁଥିବା ଛାତ୍ରମାନଙ୍କୁ ଧକ୍କା ଦେଇଥିଲା। ଫଳରେ ମୋଟ୍ ୪ ଜଣ ଛାତ୍ର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତର ଓ ଆହତ ଛାତ୍ରମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ରାଜା ପେରା ଓ ସୁବ୍ରତ ଭୋଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ରାଜେଶକୁ ବୁର୍ଲା ସ୍ଥାନାନ୍ତିରତ କରାଯାଇଥିଲା। ବାଟରେ ରାଜେଶଙ୍କ ମୃତ୍ୟ ଘଟିଥିଲା। ଅନ୍ୟ ଜଣେ ଆହତ କପିଳ ଭୁଏ(ଅଷ୍ଟମ ଶ୍ରେଣୀ)କୁ ସୋନପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ରଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |