ଜଗତସିଂହପୁର, ୧୬।୮ ଜଗତସିଂହପୁର ଜିଲାର ସମସ୍ତ ବନ୍ୟାଞ୍ଚଳରେ ଥିବା ସ୍କୁଲକୁ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଛୁଟି ଘୋଷଣା କରାଯାଇଛି । ବନ୍ୟା ପାଣି ପଶିଥିବା ଓ ପାଣି ପଶିବାର ସମ୍ଭାବନା ଥିବା ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରିଛି ପ୍ରଶାସନ ।ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲ ବନ୍ଦ କରିବାକୁ କୁହାଯାଇଛି । ଜଗତସିଂହପୁର ଜିଲାରେ ମହାନଦୀ ଓ ଦେବୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସନ୍ଧ୍ୟାରୁ ବନ୍ୟା ଜଳ ବୃଦ୍ଧି ପାଇବା ଫଳରେ ଅନେକ ସ୍ଥାନରେ ରାସ୍ତା ବୁଡି ଯିବା ଯୋଗୁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲାର ତିର୍ତ୍ତୋଲ ନିକଟରେ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ତିର୍ତ୍ତୋଲ-ତାର୍ତ୍ତୋଲ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେବାରେ ଲାଗିଛି । ଫଳରେ ୫ ଟି ପଞ୍ଚାୟତ କୁ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ସେହିପରି ଦେବୀ ନଦୀର ଦଳେଇ ଘାଇ ନିକଟରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ଏହି ଅଞ୍ଚଳର ଲୋକେ ଆଶଙ୍କା ଭିତରେ ରହିଛନ୍ତି । ଏଥି ସହିତ ଉତ୍ତର ଶାସନ ଗାଁରେ ପାଣି ପଶିବା ଯୋଗୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସୋମବାର ରାତିରୁ ଆଶ୍ରୟ ସ୍ଥଳକୁ ଅଣା ଯାଇଛି । ତେବେ ଜଗତସିଂହପୁର ବ୍ଲକ ମୁଣ୍ଡିଲୋ ଗାଁ ର ୨୦ ପରିବାର ଜଳ ବନ୍ଦୀ ହୋଇ ରହି ଥିବା ବେଳେ ସେମାନଙ୍କ ପାଖରେ ପ୍ରଶାସନ ପହଁଞ୍ଚି ପାରି ନଥିବାର ଅଭିଯୋଗ ହୋଇଛି । ଦେବୀ ନଦୀ ବନ୍ଧର ଯାହାନପୁର ନିକଟରେ ବନ୍ଧରୁ ମାଟି ଅତଡା ଖସୁଥିବା ରୁ ଉକ୍ତ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ତିର୍ତ୍ତୋଲ,କୁଜଙ୍ଗ ଓ ବିରିଡି ବ୍ଲକରୁ ସୋମବାର ରାତି ସୁଦ୍ଧା ୫୦୦ ରୁ ଊର୍ଦ୍ଧ୍ବ ବିପନ୍ନଙ୍କୁ ଜଳବନ୍ଦୀରୁ ଉଦ୍ଧାର କରାଯାଇ ବିଭିନ୍ନ ଆଶୟ ସ୍ଥଳରେ ରଖାଯାଇଛି ।ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି । ତିଗିରିଆ ପଞ୍ଚାୟତର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଚଷାଆଁରା ଗାଁକୁ ପ୍ରଶାସନ ପକ୍ଷରୁ ବୋଟ୍ ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉଛି । ସେହିଭଳି ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗାଁ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |