କେନ୍ଦ୍ରାପଡ଼ା,୨୦/୦୮: ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ କେନ୍ଦ୍ରାପଡ଼ାର ବାରିମୂଳ ସାରଥି ଆଶ୍ରମକୁ ତାଙ୍କ ଭକ୍ତ, ଅନୁଗତ, ସମର୍ଥକମାନେ ଶୁକ୍ରବାର ଜବରଦସ୍ତ କବ୍ଜା କରି ନେଇଛନ୍ତି । ଭକ୍ତ, ଅନୁଗତମାନେ ଆଶ୍ରମରେ ପଶି ଆତ୍ମଘୋଷିତ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି । ୨୦୧୯ ଜୁଲାଇ ୨୭ରେ ଇଡି ଆଶ୍ରମର ସମ୍ପତ୍ତିକୁ ଜବତ କରି ନିଜ ହେପାଜତକୁ ନେଇଥିଲା । ସେବେଠାରୁ ଆଶ୍ରମ ଭିତରକୁ ପ୍ରବେଶ ବାରଣ ହୋଇଛି । ଅଦାଲତଙ୍କ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି । ଏଥିସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଇ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି ନାହିଁ । ଶୁକ୍ରବାର ନନ୍ଦୋତ୍ସବ ଥିବାରୁ ଆଶ୍ରମର ଗ୍ରାମ ପାଖକୁ ଲାଗିଥିବା ଫାଟକ ଦେଇ ସାରଥିଙ୍କର କେତେଜଣ ଭକ୍ତ, ସମର୍ଥକ ହଠାତ୍ ସଂଘବଦ୍ଧ ହୋଇ ଭିତରକୁ ପଶିଥିଲେ । ପରେ ଭିତର ପଟୁ ଫାଟକ କିଳିଦେଇ ଆଶ୍ରମ ପରିସରରେ ଥିବା ମନ୍ଦିର ମଧ୍ୟରେ ସାରଥିଙ୍କ ପୂଜାର୍ଚ୍ଚନା କରିଥିଲେ । ଏପରିକି ପୂଜାର ଭିଡିଓ ବି ସୋସିଆଲ୍ ମିଡିଆରେ ଛାଡ଼ିଥିଲେ । ଏକଥା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରିଥିଲେ । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ଇନ୍ସପେକ୍ଟର ପବିତ୍ର ମହାରଣା କହିଛନ୍ତି, ଥାନାରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ । ସେ ଘଟଣା ସମ୍ପର୍କରେ ଅବଗତ ହେଲେ , ଏବେ ଆଇନତଃ ଯାହା ଠିକ୍ ସେନେଇ ପଦକ୍ଷେପ ନିଆଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |