ନୂଆଦିଲ୍ଲୀ,୧୩/୦୩: ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାର ଏକାଧିକ ଅଞ୍ଚଳରୁ ଆତଙ୍କବାଦୀମାନଙ୍କର ୭ଜଣ ସହଯୋଗୀଙ୍କୁ ଗିରଫ କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଛି।ଏକ ବିବୃତିରେ ପୁଲିସ କହିଛି, ଚେକ୍ପୋଷ୍ଟ୍ରେ ଯାଞ୍ଚ ବେଳେ ଶୋପିଆଁ ପୁଲିସ ଆତଙ୍କବାଦୀମାନଙ୍କର ୭ଜଣ ସହଯୋଗୀଙ୍କୁ ଗିରଫ କରିଛି। ତଲାସ ସମୟରେ ସେମାନଙ୍କ ପାଖରୁ ଦୁଇଟି ହାତ ଗ୍ରେନେଡ୍, ତିନୋଟି ଏ.କେ. ଶ୍ରେଣୀୟ ମ୍ୟାଗାଜିନ୍, ୧୦୫ ରାଉଣ୍ଡ୍ ଅଫୁଟା ଏ.କେ. ଜବତ କରାଯାଇଛି। ୭ଜଣଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍ ଗ୍ରାଉଣ୍ଡ୍ ଓ୍ଵାର୍କର୍’ ବୋଲି ଜଣାପଡ଼ିଛି। ସେମାନଙ୍କ ନାମରେ ଶୋପିଆଁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛ | ଗିରଫ ଆତଙ୍କବାଦୀଙ୍କ ସହଯୋଗୀମାନେ ହେଲେ, ମୀମେନ୍ଦର ବାସିନ୍ଦା ଫରୁକ୍ ଅହମଦ୍ ଚୋପାନ୍ଙ୍କ ପୁଅ ସମିଉଲ୍ଲା ଫାରୁକ୍, ଦଚିପୋରା ବାସିନ୍ଦା ମହମଦ୍ ଅମିନ୍ ଓ୍ଵାନିଙ୍କ ପୁଅ ହିଲାଲ୍ ଅହମଦ୍ ଓ୍ଵାନି, ମୁଜାଫର୍ ଅହମଦ୍ ଓ୍ଵାନିଙ୍କ ପୁଅ ରମୀଜ୍ ଓ୍ଵାନି, ରଶିଦ୍ ଓ୍ଵାନିଙ୍କ ପୁଅ ରୌଫ୍ ଅହମଦ୍ ଓ୍ଵାନି, ବଶିର୍ ଅହମଦ୍ ଓ୍ଵାନିଙ୍କ ପୁଅ ଜାହିଦ ହୁସେନ୍ ଓ୍ଵାନି, ବେହିଲ୍ ବାସିନ୍ଦା ମହମଦ୍ ୟୁସୁଫ୍ ଖାଁଙ୍କ ପୁଅ ଫୈୟାଜ୍ ଅହମଦ୍ ଖାଁ ଏବଂ ମହମଦ୍ ଇକ୍ବାଲ୍ଙ୍କ ପୁଅ ଶହିଦ ଅହମଦ୍ ରାଠର୍।ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ କହିଛନ୍ତି, ମାର୍ଚ ୫ ଓ ୬ ତାରିଖ ରାତିରେ ଶୋପିଆଁ ଜିଲ୍ଲାର ବିଭିନ୍ନ ଗାଁରୁ ଶୋପିଆଁ ପୁଲିସ ଏହି ୭ଜଣଙ୍କୁ ଗିରଫ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |