ଜଳିବ ସାରା ଓଡ଼ିଶା….

ଭୁବନେଶ୍ୱର,୨୫/୦୪: ତତଲା କଢେଇରେ ସିଝୁଛିି ସାରା ଓଡ଼ିଶା। ଉପକୂଳ ଠାରୁ ଆଭ୍ୟନ୍ତରୀଣ ସବୁଠି ରୌଦ୍ରତାପରେ ଲୋକେ ହନ୍ତସନ୍ତ। ରବିବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ .୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ସୋନପୁର ସହର ୪୩.୮ ଡିଗ୍ରୀ ତାପମାତ୍ରା ସହ ହୋଇଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର।  କେବେଳ ସେତିକି ନୁହେଁ ରାଜ୍ୟର ୨୮ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ଆହୁରି ପ୍ରାୟ ସପ୍ତାହେ ଏମିତି ଛଟପଟ କରିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବର୍ତ୍ତମାନ ତାତିରୁ ଟିକିଏ ବି ନିସ୍ତାର ଆଶା ଦେଖାଯାଉନି । ଉପକୂଳ ଯେମିତି ସିଝୁଛି, ସିଝିବ । ଆଭ୍ୟନ୍ତରୀଣ ଓଡ଼ିଶାବାସୀ ଆହୁରି ଅଧିକ ଜଳିବ । ମେ’ ପହିଲା ଯାଏଁ ଗ୍ରୀଷ୍ମର ଏଭଳି ଭୟାନକ ପ୍ରକୋପ ଜାରି ରହିବ । ଜନଜୀବନକୁ କଲବଲ କରିବ । ବର୍ଷାର ବଡ଼ ଆଶା ନାହିଁ । କାଳବୈଶାଖୀ ହେଲେ ବି କାଁ ଭାଁ ହେବ ଓ ସ୍ୱଳ୍ପ ବର୍ଷା କରାଇବ । ପୂର୍ବାନୁମାନଠାରୁ ବି ଭୟଙ୍କର ରୂପ ନେଲାଣି ଗ୍ରୀଷ୍ମ ପ୍ରବାହ । ରବିବାର ସୂର୍ଯ୍ୟଙ୍କ କୋପ ଆହୁରି ବଢ଼ିଯାଇଥିଲା । ୨୮ ସହରରେ ତାତି ୪୦ ଡିଗ୍ରୀ ପାର୍‌ କରିଲା । ୮ଟି ସ୍ଥାନରେ ୪୨ ଡେଇଁଗଲା ପାରଦ । ସୋନପୁର ତାପମାତ୍ରା ୪୩.୮, ଭୁବନେଶ୍ୱର ୪୩.୩, ଅନୁଗୁଳ ୪୩.୧, ତାଳଚେର ୪୩ ଡିଗ୍ରୀରେ ଫୁଟୁଥିଲା । ୨୦୧୧ରୁ ଏବେ ସୁଦ୍ଧା ଏପ୍ରିଲରେ ଆଜିକୁ ମିଶାଇ କେବଳ ୩ଥର ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି । ସାରା ଓଡ଼ିଶା ଜଳିଥିଲା ରବିବାର । ଉପକୂଳରୁ ଆଭ୍ୟନ୍ତରୀଣ, ଦକ୍ଷିଣରୁ ପଶ୍ଚିମ ସବୁଠି ଅସମ୍ଭାଳ ଗରମ ରାଜଧାନୀ ଭୁବନେଶ୍ୱର ତତଲା ତାୱାରେ ଭାଜିଲା ଭଳି ଟକଟକ ଫୁଟିଥିଲା । ସକାଳ ୯ଟାରୁ ଗରମ ହାୱା ବହିବା ଆରମ୍ଭ ହୋଇଯାଇଥିଲା । ଦିନ ୧୧ଟାବେଳକୁ ସ୍ଥିତି ଅସମ୍ଭାଳ । ପଦାକୁ ବାହାରିଲେ ଯେମିତି ତତଲା ପ୍ରହାର ବାଜୁଥିଲା ଦେହ ହାତରେ । ମୁହଁ, ହାତ, ପାଦ ଜଳିଲା ଭଳିଲା ଲାଗୁଥିଲା । ଘର ଭିତରେ ବି ରହିବା କଷ୍ଟକର ହୋଇପଡ଼ିଥିଲା । କାନ୍ଥ, ଚଟାଣ, ଛାତ ତାତି ଯାଇଥିବାବେଳେ ଟ୍ୟାପ ଖୋଲିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ତତଲା ପାଣି ହିଁ ବାହାରୁଥିଲା । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଯାହା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଉପକୂଳରେ ସ୍ଥିତି ଯେମିତି ଅଛି, ପ୍ରାୟତଃ ସେମିତି ରହିବ । କାଁ ଭାଁ ସାମାନ୍ୟ କମିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ । ୨୬-୨୭ ତାରିଖବେଳକୁ କେତେକ ଜାଗାରେ ତାପମାତ୍ରା ୪୫-୪୬ ଡିଗ୍ରୀ ଛୁଇଁପାରେ । ଉପକୂଳରେ ତାତି କମିଲେ ଗୁଳୁଗୁଳି ବଢ଼ିପାରେ । ସୋମବାର ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇପାରେ । ତେଣୁ ସକାଳ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: