ଜିଲ୍ଲା ସ୍ବାସ୍ଥ୍ୟ କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର,୧୩/୭(ମନୋଜ କୁମାର ପାତ୍ର): ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ କମିଟି ବୈଠକ ଓସ୍ବାନ୍ ହଲ୍ ରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ,ଜିଲ୍ଲାର ପ୍ରତିଟି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯେଭଳି ଠିକ୍ ରହିବସେ ଦିଗରେ ସମସ୍ତ ବିଭାଗର ଗୁରୁ ଦାୟିତ୍ବ ରହିଛି । ର୍ତ୍ତମାନ ଜିଲ୍ଲାରେ କୋଭିଡ୍ ସ୍ଥିତି ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଏହାର ମୁକାବିଲା ସକାଶେ ଜିଲ୍ଲାବାସୀ ସଚେତନତା ଏବଂ ସତର୍କତା ଉପରେ ଗୁରୁତ୍ବ ଦେବା ଜରୁରୀ । ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ଯେପରି ସୁନାମ ଅର୍ଜନ କରିବ ସେ ଦିଗରେ ସମସ୍ତ ସଂପୃକ୍ତ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ।ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଯକ୍ଷ୍ମାରୋଗର ଲକ୍ଷଣ ପୂର୍ବରୁ ଚିହ୍ନଟକରାଯାଇ ଅନେକ ଲୋକଙ୍କୁ ଚିକିତ୍ସା ଦିଆଯାଇ ପାରୁଛି । ଯକ୍ଷ୍ମା ରୋଗର ଚିହ୍ନଟ ପ୍ରକ୍ରିୟା ତଳ ସ୍ତରରୁ ଘରକୁ ଘର ବୁଲି କରାଯାଉ । ଜିଲ୍ଲାରେ ପରିବାର ନିୟୋଜନ କାର୍ଯ୍ୟକୁ ପରିଚାଳନା କରିବା ଦିଗରେ କାର୍ଯ୍ୟଭାର ଗ୍ରହଣ କରିଥିବା ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ରୋଗୀ କଲ୍ୟାଣ ସମିତି ଦ୍ବାରା କରାଯାଉଥିବା କାର୍ଯ୍ୟାବଳୀ,ଖର୍ଚ୍ଚ,ସାମଗ୍ରୀ ଓ ସରଞ୍ଜାମ କ୍ରୟ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି । ଜନ ଔଷଧି କେନ୍ଦ୍ର,ବ୍ରହ୍ମପୁର ସିଟି ହସ୍ପିଟାଲର କାର୍ଯ୍ୟକାରୀ କମିଟି ଦ୍ବାରା ପରିଚାଳନା ହେଉଥିବା ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ଜିଲ୍ଲାରେ ଚିକିତ୍ସାଳୟର ଆବଶ୍ୟକତାକୁ ଲକ୍ଷ୍ୟକରି ଚିକିତ୍ସାଳୟ ନିର୍ମାଣ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ବର୍ତ୍ତମାନ ଚାଲୁଥିବା କୋଠାଗୃହର ନିର୍ମାଣ କାର୍ଯ୍ୟ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା । ଯେଉଁ ଅଞ୍ଚଳରେ ଜାଗା ସମ୍ପର୍କିତ କିଛି ସମସ୍ୟା ରହିଛି ତେବେ ନିକଟବର୍ତ୍ତୀ ସ୍ଥାନ ଚିହ୍ନଟକରି ନିର୍ମାଣ କାର୍ଯ୍ୟଧାରାକୁ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଠା ନିର୍ମାଣ ନିମନ୍ତେ ଦାୟୀତ୍ବ ଗ୍ରହଣ କରିଥିବା ଲାଇନ୍ ବିଭାଗ ସ୍ବାସ୍ଥ୍ୟ କୋଠା ନିର୍ମାଣ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୁହାଯାଇଛି । ଯଥା ଶୀଘ୍ର କାର୍ଯ୍ୟ ଶେଷ ହେଲେ ଜିଲ୍ଲାବାସୀଙ୍କର ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବା ନେଇ ସେମାନଙ୍କ ଅତି ନିକଟରେ ଚିକିତ୍ସା ସୁବିଧା ହାସଲ ହୋଇପାରିବ ବୋଲି ମତ ରଖାଯାଇଥିଲା ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ୍ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ. ଓ ସମସ୍ତ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: