ଜୀବନର ଶେଷ ବନ୍ଧୁ ଜୀବନାନନ୍ଦ

ଶହେରୁ ଅଧିକ କଲେଣି ଶବ ସତ୍କାର 

ରାଜକନିକା,୪/୮: ସାଇପଡ଼ିଶାରେ ଅବା ଆଖପାଖ ଗାଁରେ କାହାରି ମୃତ୍ୟୁ ଖବର ପାଇଁ ବିନା ଡ଼କରାରେ ପହଂଚିଯାଆନ୍ତି ସେ । ଆଉ ତାପରେ କୋକେଇ ବନ୍ଧା ଠାରୁ ମଶାଣି ରେ ଚିତାରେ ନିଆଁ ଲାଗିବା ଯାଏଁ ସମସ୍ତ ସତ୍କାର କାର୍ଯ୍ୟରେ ପାଖେ ପାଖେ ରହିଥାନ୍ତି । ଏମିତି ମଣିଷ ଜୀବନର ଶେଷ ସମୟରେ ବନ୍ଧୁ ଭାବେ ସହାୟତା ଆଉ ସହଯୋଗରେ ହାତ ବଢ଼ାଇ ଚାଲିଛନ୍ତି ରାଜକନିକା ବ୍ଲକ୍ କାଳିକାପୁର ଗ୍ରାମର ଜୀବନାନନ୍ଦ ବିଶ୍ୱାଳ । ୫୬ ବର୍ଷ ବୟସରେ ଯୁବକ ସୁଲଭ ଜୀବନାନନ୍ଦ(ଜଜିଆ) କେବେ ହେଲେ ଆଜି ପର୍ଯ୍ୟନ୍ତ ଏଭଳି ସେବା କାର୍ଯ୍ୟରୁ ବିରତ ହୋଇପାରି ନାହାଁନ୍ତି । ମନ ଭିତରେ ଘୃଣା କି ବିଦ୍ୱେଷ ଭାବ ନାହିଁ । ଆଜି ମହାମାରୀ କରୋନାରେ ମୃତ ପିତା ମାତାଙ୍କୁ ନିଜ ଜନ୍ମିତ ପିଲାମାନେ ଭୟରେ ଛୁଇୁଁ ନଥିବା ବେଳେ ଜୀବନାନ୍ଦ କିନ୍ତୁ ନିର୍ଭୟ ଆଉ ଶ୍ରଦ୍ଧାର ସହିତ ଶବ ସତ୍କାର କରିଚାଲିଛନ୍ତି । ୨୫ ବର୍ଷ ଧରି ଶହେରୁ ଅଧିକ ଶବ ସତ୍କାର କରିଛନ୍ତି ସେ । ନିଜ ଗାଁ ନିକଟ ଜରିସାହି ଗ୍ରାମର ସଂପର୍କୀୟ ସ୍ୱର୍ଗତ ଗୌରହରି ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସତ୍କାର କାର୍ଯ୍ୟରେ ସହଯୋଗ କରିଥିଲେ ଜୀବନାନନ୍ଦ । ସେହିଦିନ ଠାରୁ ମୃତ୍ୟୁ ପରେ ମଣିଷ ମାନଙ୍କ ପ୍ରତି ମନରେ ମୋର ଗୋଟେ ଈଶ୍ୱରୀୟ ଭାବନା ଜାତ ହୋଇଥିଲା । ମଣିଷ ଚଲାବୁଲା କରୁଥିଲା । ଘର ସଂସାର କରି ହସ ଖୁସିରେ କାଳାତିପାତ କରୁଥିଲା । ହେଲେ ଏମିତି ମୃତ୍ୟୁ କାହିଁକି ବୋଲି ମୋ ମନରେ ପ୍ରଶ୍ନ ଜାତ ହୋଇଥିଲା । ଏହି ମୃତ୍ୟୁ ହିଁ ମଣିଷ ଜୀବନର ସତ୍ୟ ଆଉ ସବୁ ମିଥ୍ୟା ବୋଲି ମୁଁ ଅନୁଭବ କରୁଛି ବୋଲି କହନ୍ତି ଜୀବନାନନ୍ଦ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୃତ ଲୋକମାନଙ୍କ ପ୍ରତି ମୋର ଗୋଟେ ମୋହ ରହିଆସିଛି । ସେମାନଙ୍କୁ ଭଲରେ ଅନ୍ତିମ ସତ୍କାର କରାଇଲେ ମନରେ ଶାନ୍ତି ଆସେ । ଏହା ସହିତ ଏଭଳି ଦୁଃଖଦ ସମୟରେ ଗୋଟିଏ ପରିବାର ନିକଟରେ ସହଯୋଗର ହାତବଢ଼ାଇବା ନିହାତି ଆବଶ୍ୟକ । ତେଣୁ ଏଭଳି କାର୍ଯ୍ୟ କରିଚାଲିଛି । ମୁଁ ବଂଚିଥିବା ଯାଏ କରୁଥିବି ବୋଲି ସେ କହନ୍ତି । ଜୀବନାନନ୍ଦଙ୍କ ପରିବାର କହିଲେ ଗୋଟିଏ ପୁଅ, ସ୍ତ୍ରୀ ଆଉ ଦୁଇ ଝିଅ । ଅଭିନୟରେ ରୁଚି ରଖନ୍ତି ଜୀବନାନନ୍ଦ । ଗାଁରେ ହେଉଥିବା ନାଟକରେ ନାରୀ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ପାଇଛନ୍ତି । ଏହା ସହିତ ବିଭିନ୍ନସ୍ଥାନରେ ପ୍ରତିଯୋଗିତା ମୂଳକ ନାଟକରେ ଚମତ୍କାର ଅଭିନୟ କରି ପୁରସ୍କୃର ଲାଭକରିଛନ୍ତି । ବିଦ୍ୟୁତ୍ ମରାମତି କାମରେ ସେ ବେଶ୍ ଧୂରନ୍ଧର । ବିନା ଶିକ୍ଷାଗତ ଦକ୍ଷତାରେ ଟ୍ରାନ୍ସଫରମର ଠାରୁ ବିଭିନ୍ନ ବିଦ୍ୟୁତ୍ ମେସିନ୍‌କୁ ସଜାଡ଼ିବାରେ ରହିଛି ତାଙ୍କର ପାରଦର୍ଶିତା । ରାଜକନିକା ଅଂଚଳରେ ବିଦ୍ୟୁତ୍ ସମସ୍ୟା ହେଉକି ଟ୍ରାନ୍ସଫରମର ମରାମତି କାର୍ଯ୍ୟରେ ଦକ୍ଷ ଇଂଜିନିୟର ଅଟକି ଯାଉଥିବା ବେଳେ ଜୀବନାନନ୍ଦ କିନ୍ତୁ ଅବୈତନିକ ଭାବେ ନିଜ ପାରଙ୍ଗମରେ ମରାମତି କରି ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରାଇଥାନ୍ତି । ବିଦ୍ୟୁତ୍ ମରାମତି କରି ନିଜ ପରିବାର ଚଳାଉଥିବା ଜୀବନାନନ୍ଦ ଆର୍ଥିକ ଅନଟନରେ କେବେ ଭାଙ୍ଗିପଡ଼ିନାହାଁନ୍ତି । ଯାହା ଅର୍ଥ ରୋଜଗାର ହେଲା ସେଥିରେ ସେ ଆନନ୍ଦରେ ସବୁ ବେଳେ ନିଜ ଜୀବନ ଅତିବାହିତ କରିଚାଲିଛନ୍ତି । ଜୀବନାନନ୍ଦଙ୍କ ଏଭଳି ନିଆରା ଯାତ୍ରା ନିରନ୍ତର ଚାଲିଥାଉ ଏତିକି କାମନା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: