ବରଗଡ଼,୨୭/୧୨ : ବରଗଡ଼ର ବିରାଟ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ବାଜିବ ଶୁଭଶଙ୍ଖ। ବରଗଡ଼ ସହର ପାଲଟିଯିବ ପୁରାଣ ବର୍ଣ୍ଣିତ ମଥୁରା ନଗରୀ। ଏହାସହିତ ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପାଲଟି ଯିବ ଯମୁନା। ବରଗଡ଼ ଜିଲା ରାଜ୍ୟ ସରକାରଙ୍କ ଏକ ରାଜସ୍ୱ ଜିଲା ହୋଇଥିଲେ ମଧ୍ୟ ଏହି ସମୟରେ ମଥୁରାଧିପତି କଂସଙ୍କ ପ୍ରତୀକାତ୍ମକ ଶାସନ ଚାଲିବ। ଅପରପକ୍ଷରେ ଅମ୍ବାପାଲି କିନ୍ତୁ କୃଷ୍ଣରସରେ ସିକ୍ତ ହୋଇଯିବ। ଗୋଟିଏ ପଟେ ଅସୁର ରାଜ୍ ଚାଲିଥିବା ବେଳେ ଅନ୍ୟ ପଟେ ଭକ୍ତିରସର ଗଙ୍ଗା ବହିବ। ଏହିଭଳି ୧୧ ଦିନର ଯାତ୍ରାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ଧନୁଯାତ୍ରାକୁ ୭୫ ବର୍ଷ ପୂରଣ ହେଉଥିବାରୁ ଏବର୍ଷ ଯାତ୍ରା ତାର ହୀରକ ଜୟନ୍ତୀ ପାଳନ କରୁଛି। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀର ପ୍ରଭାବରେ ଯାତ୍ରା ବନ୍ଦ ରହିଥିଲା। ଦୁଇବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ନବ ଉନ୍ମାଦନାରେ ଧନୁଯାତ୍ରା ଆୟୋଜିତ ହେବାକୁ ଯାଉଛି।
ଚଳିତବର୍ଷ ଧନୁଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରଶାସନ ତଥା ସ୍ଥାନୀୟ କଳାକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି। କଳାକାର ଚୟନ ଠୁ ଆରମ୍ଭ କରି ନୂତନ ସାଂସ୍କୃତିକ ଦଳଗୁଡିକୁ ମଞ୍ଚରେ କଳା ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ୩ ଶହରୁ ଊର୍ଦ୍ଧ୍ବ ଟିମ୍ ବିଭିନ୍ନ ମଞ୍ଚରେ କଳା ପ୍ରଦର୍ଶନ କରିବେ। ଯାତ୍ରାକୁ ଅଧିକ ରସାଣିତ କରିବା ପାଇଁ ପ୍ରଶାସନ ପକ୍ଷରୁ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଷ୍ଟଲର ଟେଣ୍ଡର ଦର ବାଧିଲା ଭଳି ହୋଇଥିଲେ ସୁଦ୍ଧା କିଛି ଖାଦ୍ୟ ସମାଗ୍ରୀ ଓ କେତେକ ମନୋରଞ୍ଜନ ବ୍ୟବସ୍ଥାର ଦାମ୍ ପୂର୍ବ ନିର୍ଦ୍ଧାରଣ କରାଯାଇଛି। ଧନୁଯାତ୍ରା ଦେଖିବା ପାଇଁ ଆସିଥିବା ସାଧାରଣ ଲୋକେ ଯେମିତି ଅଧିକ ଖର୍ଚ୍ଚାନ୍ତ ନହେବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଏହି ମାପଦଣ୍ଡକୁ ପାଳନ କରା ନଯିବା ଆଶଙ୍କା ରହିଥିବାରୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଛି। ସେହିପରି ଧନୁଯାତ୍ରା ସମୟରେ ପ୍ରବଳ ଜନ ଗହଳି ଆଶା ଥିବାରୁ ପ୍ରଦୂଷଣ ବଢ଼଼ିବା ଆଶଙ୍କା ରହିଛି। ଏବେ ସାରା ଦେଶରେ କୋଭିଡର ଲେଉଟାଣିକୁ ନେଇ ଭୟର ବାତାବରଣ ରହିଥିବାରୁ ଗହଳି ନିୟନ୍ତ୍ରଣ ଦିଗେର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ ଯେ, ଧନୁଯାତ୍ରା ମହୋତ୍ସବ ମୁକ୍ତ ରଙ୍ଗମଞ୍ଚରେ ଅଭିନୀତ ହେଉଥିବା ତଥା ୨୧ଟି ମଞ୍ଚରେ ନାଟକ ଅଭିନୀତ ହେଉଥିବାରୁ ଏହା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |