ୱାସିଂଟନ,୦୮/୧୧ : ଜୋ ବାଇଡେନ୍ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି । ରାଷ୍ଟ୍ରପତି ନିର୍ବାଚନରେ ସେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି। ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପେନସାଲଭାନିଆରେ ନିର୍ବାଚିତ ହେବାପରେ ବାଇଡେନ୍ ନିଜର ବିଜୟ ଘୋଷଣା କରିଛନ୍ତି। ଏହାସହିତ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ପଦବି ଗ୍ରହଣ କରିବାରେ ସେ ହେବେ ଆମେରିକାର ପ୍ରଥମ ମହିଳା। ତେବେ ପରାଜୟ ସ୍ବୀକାର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଭୋଟ ଗଣତି ଆହୁରି ବାକି ଥିବା ବେଳେ ବାଇଡେନ୍ ନିଜକୁ ରାଷ୍ଟ୍ରପତି ଘୋଷଣା କରିବାକୁ ଏତେ ତରବର କାହିଁକି ହେଉଛନ୍ତି?ଆମେରିକାର ମୋଟ ୫୩୮ ଇଲେକ୍ଟୋରାଲ୍ ଭୋଟ୍ ମଧ୍ୟରୁ ଶନିବାର ରାତି ସୁଦ୍ଧା ଗଣତି ଅନୁସାରେ ଟ୍ରମ୍ପଙ୍କ ସପକ୍ଷରେ ୨୧୪ ଭୋଟ୍ ଯାଇଥିବା ବେଳେ ବାଇଡେନ୍ ୨୯୦ଟି ଇଲେକ୍ଟୋରାଲ ଭୋଟ ଯାଇଛି ।ଆହୁରି କିଛି ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ହେଲେ ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ୨୭୦କୁ ବିଡେନ ଅତିକ୍ରମ କରି ଅନେକ ଆଗକୁ ଚାଲି ଯାଇଛନ୍ତି । ଏବେ କେବଳ ସେ ମୋଟ ଉପରେ କେତେ ଇଲେକ୍ଟୋରାଲ ଭୋଟ ପାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ବାଇଡେନ୍ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ଡେମୋକ୍ରାଟିକ୍ ପାର୍ଟିର କମଳା ହାରିସ ଉପରାଷ୍ଟ୍ରପତି ହେବା ମଧ୍ୟ ସ୍ପଷ୍ଟ ହୋଇଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |