ଭୁବନେଶ୍ୱର୨୮/୭: କରୋନା ସଂକ୍ରମଣଠୁ ଡେଙ୍ଗୁ ବଳି ଗଲାଣି। ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ଡେଙ୍ଗୁ ମୃତ୍ୟୁକୁ ଅସ୍ବୀକାର କରାଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ନାବାଳିକା ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ମୃତ୍ୟୁ ହୋଇଥିବା ଘଟଣା ପଦାକୁ ଆସିଥିଲେ ମଧ୍ୟ ବିଏମ୍ସି ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗ୍ରହଣ କରାଯାଉ ନାହିଁ। ମୃତ ନାବାଳିକା ସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଇ ନାହାନ୍ତି। ତାଙ୍କର ଏଲିସା ପରୀକ୍ଷଣ ହୋଇନାହିଁ। ତେଣୁ ଏହାକୁ ଡେଙ୍ଗୁ ମୃତ୍ୟୁ ବୋଲି ସରକାରୀ ତଥ୍ୟ ହିସାବରେ ଗ୍ରହଣ କରାଯିବ ନାହିଁ। ତଦନ୍ତ ପେର ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯାମୀ ମିଶ୍ର କହିଛନ୍ତି।
ଡା. ମିଶ୍ର କହିଛନ୍ତି, ମୃତକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଘରୋଇ ପରୀକ୍ଷାଗାରରେ ତାଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ଦଳ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ପଞ୍ଚନାମା ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ବିଏମ୍ସି ଆୟୁକ୍ତ ସଞ୍ଜୟ ସିଂହ ମଧ୍ୟ ଏହାକୁ ଡେଙ୍ଗୁ ମୃତ୍ୟୁ ବୋଲି ଅସ୍ବୀକାର କରି ଯାଞ୍ଚ ପରେ ଜଣାପଡ଼ିବ ବୋଲି କହିଛନ୍ତି। ମଶାବଂଶ ନାଶ ପାଇଁ ବ୍ୟାପକ ତନାଘନା ଚାଲିଥିବା ସେ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |