ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ହେବାନେଇ ନିବେଦନ କଲେ ଭୁବନମୋହନ

କେନ୍ଦ୍ରାପଡା,୧୧/୬:  କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା  ହେବାନେଇ  ଜିଲ୍ଲା ଜନ ଅଧିକାର ଅଭିଯାନ କେନ୍ଦ୍ରାପଡା,ର ସଭାପତି  ଭୁବନମୋହନ ଜେନା ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ କେନ୍ଦ୍ର ପେଟ୍ରୋଲିଅମ୍ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ମଧ୍ୟ ପତ୍ର ମାଧ୍ୟମରେ ଅନୁରୋଧ କରି କେନ୍ଦ୍ରାପଡ଼ାରେ ରଥଯାତ୍ରା ପରମ୍ପରା  ବଂଚାଇବା ପାଇଁ ଅନୁରୋଧ କରିଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା କରାଇବା ନେଇ ଜିଲା ପ୍ରଶାସନ, ରାଜ୍ୟ ପ୍ରମୁଖ ସଚିବ, ଜିଲାର ଜନପ୍ରତିନିଧି ଏବଂ ପ୍ରାକ୍ତନ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଅନୁରୋଧ କରି ପତ୍ର ଲେଖିଛନ୍ତି ଭୁବନମୋହନ । ଧର୍ମୀୟ ପରମ୍ପରା ବଜାଇରଖିବା ପାଇଁ ସେ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି । ଏହି ପ୍ରସଙ୍ଗରେ ଶ୍ରୀଜେନା ଏକ ପ୍ରେସ୍ ବିବୃତ୍ତିରେ ଜଣାଛନ୍ତିଯେ,  ଗତକାଲି ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା କରି ଆଶ୍ୱସ୍ତ କରିଥିବା ବେଳେ, ଆଉ କେଉଁଠି ହେବନି, ସେହି ନ୍ୟାୟରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ମହାବାହୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ହେବନାହିଁ ବୋଲି କହି କେନ୍ଦ୍ରାପଡ଼ା ଜନସାଧାରଣ ଙ୍କୁ ଆତଙ୍କିତ କରିଛନ୍ତି । ବାର୍ଷିକ ନୀତିକାନ୍ତିର ଅଂଶବିଶେଷ ଭାବେ ନିଜ ବଡଦାଣ୍ଡରେ ରଥଯାତ୍ରା କେବଳ ପୁରୀ ଶ୍ରୀଜଗନ୍ନାଥଙ୍କର ନୁହେଁ କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉଙ୍କର ମଧ୍ୟ ସମାନ ପରମ୍ପରା ଅନୁଷ୍ଠିତ ହୁଏ। ଏପରି ସ୍ଥଳେ କେନ୍ଦ୍ରାପଡା ରଥଯାତ୍ରା ବନ୍ଦ କରିବା ନିଷ୍ପତି ଯେଉଁମାନେ ନେଉଛନ୍ତି ସେମାନେ କିଏ ? ସ୍ୱାସ୍ଥ୍ୟ ବିଶେଷଜ୍ଞ , କର୍ମକାଣ୍ଡବିତ୍, ବିଦ୍ୱାନ ସଂସ୍କୃତି ବିଶେଷଜ୍ଞ, ପ୍ରଚ୍ଛଦ ରେ ଥିବା ରାଜନେତା ନା’ ଜନସେବୀ ସାଧାରଣ ପ୍ରଶାସକ ? ବୋଲି ସେ ପ୍ରଶ୍ନ କରିଛନ୍ତି ।

କରୋନା ସଂକ୍ରମଣ ଓ ନିୟନ୍ତ୍ରଣ ଜନସଂପୃକ୍ତି ଆଧାରିତ ।  ଗତବର୍ଷ ଏଭଳି ଭୁଲ ନିଷ୍ପତିକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ପରିବର୍ତ୍ତନ କରି ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନୀତିକାନ୍ତି କୁ ସମ୍ପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ କ୍ଷେତ୍ରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରିୟ ଗୃହମନ୍ତ୍ରୀ ଅମିତ୍ ଶାହା, ଇସ୍ପାତ ଓ ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନଭାବନା ଅନୁରୂପ ସକ୍ରୀୟ ଭୂମିକା ଉଦାହରଣୀୟ ଥିଲା । ଅବଶ୍ୟ କୋଭିଡ ନିୟମ ପାଳନ ସହିତ ସୀମିତ ଲୋକଙ୍କ ସଂପୃକ୍ତିରେ । ଯାହା ସଫଳତାର ସହିତ ସମ୍ପନ୍ନ ହୋଇ ପାରିଥିଲା । କଣ ସବୁସମାନ ପ୍ରସଙ୍ଗରେ ନିଷ୍ପତି ପାଇଁ ସର୍ବୋଚ୍ଚ ଅଦାଲତକୁ ଜନତାଙ୍କୁ ଯିବାକୁପଡିବ,ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ? ଯଦି ସେପରିକଥା ଗଲାବର୍ଷ ଅହମ୍ମଦାବାଦ ରଥଯାତ୍ରା, ମା ବିରାଜଙ୍କ ରଥଯାତ୍ରା ଓ ଭୁବନେଶ୍ୱର ରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ନିଷ୍ପତି କଣ ଅଦାଲତ ରୁ ଆସିଥିଲା ନା ବିବେକପୂର୍ଣ ପ୍ରଶାସନିକ ବ୍ୟବସ୍ଥାରୁ ? ମୁଁ ସେତେବେଳେ ବି ଆଜିବି ଧନ୍ୟବାଦ ଦେଉଛି ସେଠାକାର ସ୍ଥାନୀୟ ଜନପ୍ରତିନିଧି ପ୍ରଣବ ବାବୁ ଓ ଅଶୋକ ବାବୁଙ୍କୁ ଯେଉଁମାନେ ମହାମାରୀ ସମୟ ର ବିଧିନିଷେଧ ଅନୁପାଳନ ପୂର୍ବକ ସ୍ଥାନୀୟ ଜନତାର ମୌଳିକ ଧାର୍ମିକ ଅଧିକାର ,ଭାବନା ଓ ସଂସ୍କୃତି କୁ ସମ୍ବର୍ଦ୍ଧନ କରିବାର ଉଦାହରଣ ଛାଡିଯାଇଛନ୍ତି । ଏଦିଗରେ ଆମ ଜନପ୍ରତିନିଧିମାନଙ୍କ ଠାରୁ ସେଭଳି ଭୂମିକା ଅପେକ୍ଷା କରାଯାଏ ।

ସତରେ କଣ ସରକାରଙ୍କ ଏହି ନିଷେଧ ଆଜ୍ଞା ଜଗତର ସବୁସ୍ଥାନରେ ଥିବା ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ଠାକୁରଙ୍କୁ ବନ୍ଧା ନା କଣ ? ଲାଇସେନ୍ସ ପାଇଥିବା ନିଶା ଦୋକାନୀ କୋଭିଡ ନିୟମ ମାନି ବେପାର କରିପାରିବ , ନିଜଘରେ ମଲ୍ କରିଥିବା ଦୋକାନୀ କୋଭିଡ ନିୟମ ମାନି ବେପାର କରିପାରିବ ମାତ୍ର କର୍ମକାଣ୍ଡର ନିୟମକୁ ମାନି ଶହ ଶହ ବର୍ଷ ଚାଲିଆସିଥିବା ଭକ୍ତମାନେ କୋଭିଡ ନିୟମ ମାନି ରଥଯାତ୍ରାରେ ଚାଲିପାରିବେନି ? ୫ନମ୍ବର କ ଜାତୀୟରଜପଥ ରେ ହଜାର ହଜାର ଟ୍ରକ ଲରି ଟ୍ୟାଙ୍କର ଗହଳି କରିପାରିବ ମାତ୍ର ନିଜ ବଡଦାଣ୍ଡ ରେ ମାଲିକ ମହାପ୍ରଭୁ ଶ୍ରୀ ବଳିଆରଭୁଜ ନିଜ ଭାଇ ଓ ଭଉଣୀକୁ ନେଇ ବ୍ରହ୍ମତାଳଧ୍ଵଜରେ ଯାଇପାରିବେନି ? କଣ ଏଥିପାଇଁ ମୋ ଠାକୁରଙ୍କୁ ପ୍ରତ୍ୟକ୍ଷତାର ପରୀକ୍ଷା ଦେବାକୁ ହେବ ? ବଡଦାଣ୍ଡର ସତ୍ଵାଧିକାର ପଟ୍ଟା ଦେଖାଇବାକୁ ପଡିବ ? ପ୍ୟାରୀ,ପ୍ରଶାନ୍ତଙ୍କ ପୃଷ୍ଠପୋଷକତା ରେ ତିଆରିହୋଇଥିବା ମନ୍ଦିର ସହିତ ଧାଡିରେ ଛିଡାହେବାକୁ ପଡିବ ପଦ୍ମପୁରାଣ ବର୍ଣ୍ଣିତ ମୋଗଲ ବିଧ୍ବଂସିତ,ମରହଟ୍ଟା ନିର୍ମିତ ତୁଳସୀ କ୍ଷେତ୍ରର ମନ୍ଦିରକୁ?

ପ୍ରାଚୀନତା ,ପୌରାଣିକ ପୃଷ୍ଠଭୂମି , ଆଧ୍ୟାତ୍ମିକ ସ୍ୱତନ୍ତ୍ରତା ଓ କ୍ଷେତ୍ରିୟମାନ୍ୟତା ଦୃଷ୍ଟିରୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ଭଳି ନୀତିକାନ୍ତି ରେ ବିଭ୍ରାଟ ସୃଷ୍ଟି କଲାଭଳି ନିଷ୍ପତି ଆଇନଗତ ,ସମ୍ବିଧାନଗତ, ସଂସ୍କୃତିଗତ ଓ ଦେବାଧିକାରଗତ ତଥା ଜନଭାବନା ବିରୋଧୀ । ଏପରିସ୍ଥଳେ ସରକାର ନିଜର ବେଆଇନ ତଥା ଅସମ୍ବିଧାନିକ ନିଷ୍ପତି ପ୍ରତ୍ୟାହାର କରି କୋଭିଡ ଅନୁରୂପ ବିଧିନିଷେଧ ସହିତ କେନ୍ଦ୍ରାପଡା ତୁଳସୀକ୍ଷେତ୍ର କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉ ଙ୍କ ରଥଯାତ୍ରା ପାଳନରେ ସ୍ୱସୃଷ୍ଟ ବାଧା ଦୂରକରନ୍ତୁ । ଅନ୍ତତଃ କେନ୍ଦ୍ରାପଡା ଜିଲ୍ଲାର ୫ବିଧାନସଭା କ୍ଷେତ୍ରର ପ୍ରତିନିଧି ଓ ଲୋକସଭାକ୍ଷେତ୍ରର ସାଂସଦ ଏବଂ ସବୁଦଳର ନେତୃମଣ୍ଡଳୀ ଏଦିଗରେ ଜନତା ଓ ସ୍ଥାନୀୟ ଅସ୍ମିତା ପ୍ରତିଥିବା ନିଜର ସକାରାତ୍ମକ ଉତ୍ତର ଦାୟିତ୍ୱ ନିର୍ବାହ କରିବାପାଇଁ ବିନମ୍ର ନିବେଦନ ।

WhatsApp Image 2021 06 11 at 5.27.45 PM

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: