ଭୁବନେଶ୍ଵର,୭/୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି। ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ। ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। କୋଭିଡ ଆଚରଣବିଧି ହେଉଛି,କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଏପର୍ୟ୍ୟନ୍ତ ଟିକା ନେଇନାହାନ୍ତି। ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ। କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ – ଏହି ହାଇ ରିସ୍କ ଗ୍ରୁପର ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି। ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ଡେଲ୍ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି। ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |