ବନ୍ତ,୨୨ା୩ : ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା। ଦଳରୁ ବିଦା ହେଲେ ବିଜେଡିର ୩ ବରିଷ୍ଠ ନେତା। ଭଦ୍ରକ ଜିଲା ବନ୍ତ ବ୍ଲକ ବିଜେଡିର ବରିଷ୍ଠ ନେତା ପ୍ରାଧ୍ୟାପକ ଡ. ସୁଧାଂଶୁ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ପୂର୍ବତନ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ଦଳରୁ ବହିଷ୍କାର କରିଛନ୍ତି। ସୋମବାର ଜିଲା ବିଜେଡି କାର୍ଯ୍ୟାଳୟ ଚିଠି ନଂ-୧୪/୨୦୨୩ ଅନୁଯାୟୀ ଜିଲା ସଭାପତି ସ୍ବାଇଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ରବିବାର ବନ୍ତଠାରେ ‘ଶଙ୍ଖ ମୋର ଗର୍ବ’ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀରେ ଏହି ୩ ଜଣଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ସମ୍ମିଳନୀରେ ସୁଧାଂଶୁ ସିଧାସଳଖ ଭଣ୍ଡାରିପୋଖରୀ ବିଧାୟକ ଓ ବିଧାୟକ ପ୍ରତିନିଧିଙ୍କୁ ଟାର୍ଗେଟ କରି ନାନାଦି ମନ୍ତବ୍ୟ ଦେଇଥିଲେ। ଏହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଫଳସ୍ବରୂପ ଦିନକ ପରେ ଜିଲା ସଭାପତି ତାଙ୍କୁ ଦଳରୁ ବିଦା କରିଥିବା ଜଣାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |