ଭୁବନେଶ୍ୱର, ୨୬।୫ :ଦେଶବ୍ୟାପୀ ଦୁଗ୍ଧର ମାନ ଯାଞ୍ଚ ହେବ। ଦୁଗ୍ଧ ସହିତ ଦୁଗ୍ଧଜାତୀୟ ସାମଗ୍ରୀର ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ)। ସବୁ ଜିଲ୍ଲାରୁ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସମଗ୍ର ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯିବ। ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଦୁଗ୍ଧରେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି। ତେଣୁ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଦେଶବ୍ୟାପୀ ଏହି ଯାଞ୍ଚ ମିଶନ ମୋଡ୍ରେ ଆରମ୍ଭ କରାଯିବ। ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯଥା ଦହି, ପନିର, ଖୁଆ, ଛେନା, ଘିଅ, ଲହୁଣି ଆଦି ଦ୍ରବ୍ୟର ଗୁଣବତ୍ତା ପରୀକ୍ଷା କରାଯିବ। ଏପରିକି ଦୁଗ୍ଧ ବ୍ୟବହାର ହେଉଥିବା ଆଇସ୍କ୍ରିମ୍ର ମାନ ମଧ୍ୟ ପରଖାଯିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଜିଲାରୁ ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ ହେବ। ଯାଞ୍ଚ ପରେ ଖାଦ୍ୟ ଅପମିଶ୍ରିତ ଥିବା ଜଣାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ କ୍ଷୀରରେ ପାଣି, ଡିଟରଜେଣ୍ଟ ଓ ଅନ୍ୟ ଅଣଖାଦ୍ୟ ଅପମିଶ୍ରଣ କରାଯାଇ ବିକ୍ରି କରାଯାଉଥିବା ନଜରକୁ ଆସୁଛି। ସେହିପରି ଦୁଗ୍ଧଜାତ ସାମଗ୍ରୀରେ ନକଲି ସାମଗ୍ରୀ ମିଶାଯାଉଥିବା ଜଣାପଡିବା ପରେ ଏଫ୍ଏସ୍ଏସ୍ଏଆଇ ଏଭଳି ପଦକ୍ଷେପ ନେବାକୁ ଯାଉଛି। ଗୁରୁବାର ଦିନ ନୂଆଦିଲ୍ଲୀଠାରେ ଏଫ୍ଏସ୍ଏସ୍ଏଆଇର କେନ୍ଦ୍ରୀୟ ଉପଦେଷ୍ଟା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁ ରାଜ୍ୟର ଖାଦ୍ୟ ସୁରକ୍ଷା କମିସନରମାନେ ସାମିଲ ହୋଇଛନ୍ତି। ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି ଯେ ମହାମାରୀ ପରେ ଲୋକମାନେ ଖାଦ୍ୟପଦାର୍ଥକୁ ନେଇ ବେଶ୍ ସଚେତନ ହୋଇଛନ୍ତି। କ୍ଷୀର, ଦହି ପରି ଦୁଗ୍ଧଜାତୀୟ ସାମଗ୍ରୀ ଲୋକଙ୍କ ପ୍ରତିଦିନ ଖାଦ୍ୟରେ ସାମିଲ ହୋଇଛି। ତେଣୁ ଦୁଗ୍ଧଜାତୀୟ ସାମଗ୍ରୀ ବିଶୁଦ୍ଧ ହେବା ଜରୁରୀ ହୋଇପଡ଼ିଛି। ଏହାକୁ ନଜରରେ ରଖି ଏଫ୍ଏସ୍ଏସ୍ଏଆଇ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |