ଦେଶ ରେ ଆରମ୍ଭ ହେଲା କରୋନା ଟୀକାକରଣ । ଟୀକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

ନୂଆଦିଲ୍ଲୀ ୧/୩ : ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ଦ୍ୱିତୀୟ ପର‌୍ୟ୍ୟାୟ। ଆଉ ଆଜି ଦିଲ୍ଲୀ ଏମ୍ସରେ କୋଭାକ୍ସିନ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପଟେ ଭୁବନେଶ୍ୱରରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ପର‌୍ୟ୍ୟାୟରେ ଟିକା ଦିଆଯାଉଥିବା ବେଳେ, ଆସନ୍ତା ଅଗଷ୍ଟ ସୁଦ୍ଧା ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

pm vaccine

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଏମ୍ସରେ କୋଭାକ୍ସିନର ପ୍ରଥମ ଡୋଜ୍ ଗ୍ରହଣ କରିବା ବେଳେ ସେ ନର୍ସିଂ ଅଫିସରଙ୍କୁ ସେମାନଙ୍କ ଘର କେଉଁଠି ବୋଲି ପଚାରିବା ସହ ଟିକା ଦେଇ ଦେଲ, ଜଣା ବି ପଡ଼ିଲାନି ବୋଲି କହିଥିଲେ। ସୂଚନା ଅନୁସାରେ, ମୋଦିଙ୍କୁ ଟିକା ଦେଇଥିଲେ ପୁଡୁଚେରୀର ସିଷ୍ଟର ପି. ନିଭେଦା। ୨୮ ଦିନ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଡୋଜ୍ ନେବେ। କରୋନା ବିରୋଧୀ ଲଢ଼େଇରେ ଡାକ୍ତର ଓ ବୈଜ୍ଞାନିକଙ୍କ ତ୍ୱରିତ କାର‌୍ୟ୍ୟକୁ ପ୍ରଶଂସା କରିବା ସହ, ଦେଶକୁ କରୋନା ମୁକ୍ତି କରିବା ପାଇଁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ଟୁଇଟ୍ କରି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

cm vaccine

ସେହିପରି ଚେନ୍ନାଇରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଓ ଦିଲ୍ଲୀ ଏମ୍ସରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଆଜି ଟିକା ନେଇଛନ୍ତି।ଏପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ, ଆସନ୍ତାକାଲି ଟିକା ନେବା ପାଇଁ ଆଜି କୋଓ୍ୱିନରେ ବୁକିଂ କରିଛନ୍ତି। ଏଥିସହ ଓ୍ୱାକ୍-ଇନ୍ ସିଷ୍ଟମ୍ ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ପଞ୍ଜିକୃତ ହେବା ବ୍ୟବସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଏନେଇ ରାଜ୍ୟ ସରକାରଙ୍କୁ କିଛି ଢିଲା ଦିଆଯାଇଛି। ଆସନ୍ତା ସପ୍ତାହେ ଭିତରେ ଏହି ପ୍ରକ୍ରିୟାକୁ ବ୍ୟବସ୍ଥିତ କରାଯିବ ଏବଂ ପ୍ରତ୍ୟେକ ଦିନ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ କେନ୍ଦ୍ରରେ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ବୋଲି ଜଣାଯାଇଛି।ଏପଟେ ବିଧାନସଭା ପରିସର ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆଜି ଟିକା ନେଇଛନ୍ତି। କ୍ୟାପିଟାଲ୍ ହସ୍ପିଟାଲରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେଇଥିଲେ ପରେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ଭୂପିନ୍ଦର ସିଂହ ଓ ଜିତୁ ମିତ୍ର ମଧ୍ୟ ଟିକା ନେଇଥିଲେ। ସେମାନଙ୍କ ହାତରେ ଟିକା ଲଗାଇଥିଲେ ଷ୍ଟାଫ୍ ନର୍ସ ସ୍ମରଣିକା ରଣସିଂହ। ସେପଟେ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଛନ୍ତି ଲୋକାୟୁକ୍ତ ଅଜିତ ସିଂ।
ଆଜି ଦେଶବ୍ୟାପୀ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛ। ସକାଳ ୯ଟାରୁ କୋଓ୍ୱିନ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବାକୁ ଥିଲେ ବି, ପ୍ରଥମେ ପ୍ରଥମେ କିଛି ସ୍ଥାନରେ ପୋର୍ଟାଲ୍ ଖୋଲିବାରେ ସମସ୍ୟା ଦେଖାଦେଇଥିଲା। ତେବେ ବୟସ୍କଙ୍କୁ ଯେପରି କୌଣସି ଅସୁବିଧା ଭୋଗିବାକୁ ନପଡ଼େ ସେଥିପାଇଁ ଅଫଲାଇନରେ ବି ପଞ୍ଜୀକରଣ କରାଯାଇପାରିବ ବୋଲି ସମସ୍ତ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇଉଝ ପ୍ରଦୀପ୍ତ କୁମାର ମହାପାତ୍ର।
ଲକ୍ଷ୍ମୌରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ମୁମ୍ବାଇରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାର୍, ଜୟପୁରରେ ରାଜସ୍ଥାନ ରାଜ୍ୟପାଳ କାଲ୍ରାଜ ମିଶ୍ରା ପ୍ରମୁଖ ଟିକା ନେଇ କୋଭିଡ୍ ବିରୋଧୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: