ନୂଆଦିଲ୍ଲୀ,୨୧/୦୭: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାସହ ଦେଶର ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି । ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଛି। ଜୁଲାଇ ୧୮ରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳେ ଆରମ୍ଭ ହୋଇଥିଲା । ସାଂସଦଙ୍କ ଭୋଟ ଗଣତି ଶେଷ ହେବା ପରେ ପ୍ରଥମ ରାଉଣ୍ଡ ପରିଣାମ ଘୋଷଣା କରାଯାଇଥିଲା । ମତଗଣନାର ପ୍ରଥମ ରାଉଣ୍ଡରେ ସାଂସଦଙ୍କ ଭୋଟ ଗଣତି ହୋଇଥିଲା । ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ମୋଟ ୭୭୬ ଜଣ ସାଂସଦଙ୍କ ଭୋଟ ବୈଧ ଥିଲା । ତେବେ ୧୫ ଜଣଙ୍କ ଭୋଟ ନାକଚ ହୋଇଥିଲା ଏବଂ କିଛି ସାଂସଦ ଭୋଟ ଦେଇପାରି ନଥିଲେ । ମୋଟ ୭୪୮ ସାଂସଦଙ୍କ ୫,୨୩,୬୦୦ ମୂଲ୍ୟ ଥିବା ଭୋଟର ଗଣତି ହୋଇଥିଲା । ଏଥିରୁ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିଲା ଯାହାର ମୂଲ୍ୟ ଥିଲା ୩,୭୮,୦୦୦ । ସେହିପରି ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଥିଲା ଯାହାର ମୂଲ୍ୟ ଥିଲା ୧,୪୫,୬୦୦ । ଦ୍ରୌପଦୀ ମୁର୍ମୁଙ୍କ ୭୨ ପ୍ରତିଶତ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମାତ୍ରା ୨୮ ପ୍ରତିଶତ ସାଂସଦ ଭୋଟ ଦେଇଛନ୍ତି। ଦ୍ୱିତୀୟ ରାଉଣ୍ଡର ଗଣତିରେ ବି ଦ୍ରୌପଦୀଙ୍କୁ ପ୍ରଚଣ୍ଡ ଭୋଟ ମିଳିଥିଲା। ସାଂସଦଙ୍କ ଭୋଟ ଗଣତି ଶେଷ ହେବା ପରେ ନିର୍ବାଚନ ଆୟୋଗ ଆଲ୍ଫାବେଟିକ ଅର୍ଡରରେ ରାଜ୍ୟ ଗୁଡିକର ବିଧାନସଭାରେ ଦିଆଯାଇଥିବା ଭୋଟ ଗଣିଥିଲେ। ଏଥିରେ ଆନ୍ଧ୍ର ପ୍ରଦେଶରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଝାଡଖଣ୍ଡ ସାମିଲ ଥିଲେ। ଦ୍ୱିତୀୟ ରାଉଣ୍ଡରେ ମୋଟ ୧୧୩୮ ଭୋଟ ବୈଧ ରହିଥିଲା । ଯାହାର ମୂଲ୍ୟ ୧,୪୯,୫୭୫ । ଏଥିରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଖଣ୍ଡ ଭୋଟ ମିଳିଥିଲା ଯାହା ମୂଲ୍ୟ ଥିଲା ୧,୦୫,୨୯୯ । ସେହିପରି ଯଶୱନ୍ତ ସିହ୍ନାଙ୍କୁ ୩୨୯ ଖଣ୍ଡ ଭୋଟ ମିଳିଥିଲା । ଏହି ଭୋଟ ଗୁଡିକର ମୂଲ୍ୟ ୪୪,୨୭୬ ଥିଲା। ସମ୍ପୂର୍ଣ୍ଣ ଖବର ଲେଖା ଚାଲିଛି…
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |