ଭୁବନେଶ୍ବର,,୨୨।୩: ଧାନକୁ ନେଇ ବିଧାନସଭାରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ମୁହାଁମୁହିଁ| ଅମଳ ହେଉଥିବା ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନ କାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁହାଁମୁହିଁ ହୋଇଛନ୍ତି।ନରସିଂହ ମିଶ୍ର କହିଛନ୍ତି, ‘ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁଯାୟୀ ଭାଗ ଚାଷ ବେଆଇନ। ଯିଏ ଭାଗ ଚାଷ କରିବ ଆଉ ଯିଏ ଭାଗ ଦେବ ତାକୁ ଦଣ୍ଡ ଦେବା ସହ ସରକାର ସେ ଜମିକୁ ନିଜ ଅଧୀନକୁ ନେଇଯିବେ। ତେବେ ମନ୍ତ୍ରୀ କେମିତି କହିଲେ ଭଦ୍ରକ ଜିଲ୍ଲାରେ ଭାଗ ଚାଷୀଙ୍କ ସଂଖ୍ୟା? ସେହିପରି ସରକାର ଅଧିକ ଫସଲ ଅମଳ କରୁଥିବା କହୁଛନ୍ତି କିନ୍ତୁ ଅଣ ଜଳ ସେଚିତ ଜମିରୁ ୧୩ କୁଇଣ୍ଟାଲ ଓ ଜଳ ସେଚିତ ଜମିରୁ ୧୯ କୁଇଣ୍ଟାଲ ଧାନ କିଣୁଛନ୍ତି। ତେବେ ବଳକା ଧାନ କିଣିବ କିଏ ?’ ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କିଛି କହିବାକୁ ଆରମ୍ଭ କରିବା ମାତ୍ରେ ଶାସକ ଦଳର ସଦସ୍ୟମାନେ ଚାଉଳ କାଟିବା ପ୍ରସଙ୍ଗକୁ ନେଇ ହାତରେ ବ୍ୟାନର ଧରି ଜୋରଦାର ପ୍ରତିବାଦ କରିଥିଲେ। ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବା ପାଇଁ ବିରୋଧୀ ସୁଯୋଗ ଦେଉନାହାନ୍ତି। କେନ୍ଦ୍ର ସରକାର ଜଣ ପିଛା ୫ କେଜି ଚାଉଳ କାଟିଦେଲେ। ୭୧ ହଜାର କୋଟି ବଜେଟରୁ କଟିଲା। ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି। ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ୍ ବଳକା ରହୁଥିଲା। ଉଷୁନା ଚାଉଳ ନେଉନାହାନ୍ତି। ଚାଷୀ ଅସୁବିଧାରେ ପଡ଼ିବେ। ବିଧାନସଭାରେ ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। କେନ୍ଦ୍ର ସରକାର ବଳକା ଚାଉଳ ଉଠାଇବା ସହ କାଟିଥିବା ୫ କେଜି ଚାଉଳ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି। ଉଭୟ ବିଜେଡି ଓ ଭାଜପା ସଭ୍ୟମାନେ ପରସ୍ପର ବିରୋଧରେ ବିଷୋଦ୍ଗାର କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପୂର୍ବାହ୍ନ ୧୧ଟା ୩୧ ମିନିଟ୍ରୁ ୧୨ଟା ୫ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟଙ୍କୁ କାହିଁକି କହିବାକୁ ସୁଯୋଗ ଦିଆଗଲାନି ବୋଲି ଅଭିଯୋଗ କରି ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ବାଚସ୍ପତି କହିଲେ, ବିରୋଧୀ ଦଳ ନେତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ଗୃହରେ ସ୍ବାଭାବିକ ସ୍ଥିତି ନ ଥିବାରୁ କହିବାକୁ ସୁଯୋଗ ଦିଆଯାଇ ପାରି ନ ଥିଲା। ସେପଟେ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଥିଲେ ନରସିଂହ। କହିଥିଲେ ମନ୍ତ୍ରୀ ମୋ ପ୍ରଶ୍ନ ଉତ୍ତର ନ ରଖି ଗୋଳାଉଛନ୍ତି। ଏହା ମଧ୍ୟରେ କିଛି ସମୟ ପାଇଁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ ହୋଇଥିଲେ। ପରେ ବାଚସ୍ପତି ନରସିଂହଙ୍କୁ କହିଥିଲେ ମନ୍ତ୍ରୀ ପରବର୍ତ୍ତୀ ସମୟରେ ଆପଣଙ୍କୁ ତଥ୍ୟ ଯୋଗାଇ ଦେବେ। ଏହାପରେ ଉଭୟ ନିଜ ଆସନରେ ବସିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |