ନିଶ୍ଚିନ୍ନ ହେବ କେନ୍ଦ୍ରାପଡ଼ା ଜିଲାର ବୃହତ୍ତ କଣ୍ଟପଡ଼ା ପଡ଼ିଆ

ଦୈବଦୁର୍ବିପାକରେ ଓହ୍ଲାଇଥିଲା ୭ଟି ହେଲିକେପ୍‌ଟର,ଏବେ ନିର୍ମାଣ ହେଉଛି ବସଷ୍ଟାଣ୍ଡ ଆଉ କୋର୍ଟ

ରାଜକନିକା,୧୨/୭ :ରାଜକନିକା ବ୍ଲକ୍ କଣ୍ଟପଡ଼ା ଠାରେ ରହିଛି କେନ୍ଦ୍ରାପଡ଼ା ଜିଲାର ସର୍ବ ବୃହତ୍ତ ଖେଳପଡ଼ିଆ । ୧୫ ଏକରର ଏହି ଖେଳପଡ଼ିଆକୁ ନେଇ ରାଜକନିକାବାସୀ ଗର୍ବ କରନ୍ତି । କନିକାରାଜରାଜୁଡ଼ା ସମୟରୁ ଏହି ଖେଳପଡ଼ିଆରେ କେବଳ ଖେଳକୁଦକୁ ନେଇ ସୀମିତ ନଥିଲା,ବରଂ ଦୈବଦୁର୍ବିପାକ ସମୟରେ ଏକ କାଳୀନ ୭ଟି ହେଲିକେପ୍ଟର ଓହ୍ଳାଇ ରେକର୍ଡ଼ କରିଥିବାର ନଜୀର ରହିଛି । ଏହି ପଡ଼ିଆରେ ଗୋଟିଏ ହେଲିପ୍ୟାଡ଼ ମଧ୍ୟ ରହିଛି । ହେଲେ ଏବେ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ଦୂରଦୃଷ୍ଟି ଅଭାବରୁ ଏହି ଐତିହାସିକ ପଡ଼ିଆ ଏବେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଶୁଭ ଦେଇଛନ୍ତି । ଆଗକୁ କୋର୍ଟ ନିର୍ମାଣ ହେବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି କାରଣରୁ ନିଶ୍ଚିନ୍ନ ହେବାକୁ ବସିଛି ଏହି ପଡ଼ିଆ । ଯେଉଁ ଘଟଣାକୁ ନେଇ ସମଗ୍ର ରାଜକନିକା ଅଂଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । ୧୪ ଏକର ଜାଗାରୁ ଅଗ୍ନିଶମ ବିଭାଗ ଏବଂ କନିକା ରିଡ଼ିଂ ରୁମ୍‌କୁ ଏକର ଜାଗା ପରେ ଏବେ ବସଷ୍ଟାଣ୍ଡ ପାଇଁ ଏକ ଏକର ୨୦ ଡ଼ିସିମିଲ୍ ସହିତ କୋର୍ଟ ନିର୍ମାଣ ପାଇଁ ୪ଏକର ୫୦ ଡ଼ିସିମିଲ୍ ଜାଗା କନିକା ତହସିଲଦାର ପ୍ରଦାନ କରିଥିବାର ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତି । ହେଲେ ଗୋଟିଏ ସ୍ଥାନରେ କୋର୍ଟ ଏବଂ କୋଳାହଳମୟ ବସ୍ ଷ୍ଟାଣ୍ଡ ନିର୍ମାଣ ହେବାକୁ ନେଇ ବିବାଦ ଦେଖାଦେଇଛି । ଏହି କାରଣକୁ ନେଇ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ କନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କ ମଧ୍ୟରେ ତକରାଳ ଚାଲିଛି । ରାଜକନିକା ସଦରରେ ରହିଥିବା ଏହି ପଡ଼ିଆରେ ଦୀର୍ଘ ଶହେ ବର୍ଷ ଧରି ଫୁଟବଲ ଖେଳ ଅନୁଷ୍ଠିତ ହେଉଛି । ବର୍ଷକ ବାରମାସ ପିଲାମାନେ ଏହି ପଡ଼ିଆରେ ଫୁଟବଲ ଖେଳୁଥାନ୍ତି । ଫୁଟବଲ୍‌ର ଏନ୍ତୁଡ଼ିଶାଳ ଏହି ଖେଳ ପଡ଼ିଆ । ହେଲେ ବୃହତ୍ତ ପଡ଼ିଆ ଉପରେ କିଛି ବର୍ଷ ହେବ ତହସିଲଦାର ସରକାରୀ ଗୃହ ନିର୍ମାଣରେ ବ୍ୟବହାର କରିଚାଲିଛନ୍ତି । ପ୍ରଥମେ କନିକା ରିଡ଼ିଂ ରୁମ୍‌କୁ ଏହି ପଡ଼ିଆରେ ନିର୍ମାଣ କରିବାକୁ ତହସିଲଦାର ଅନୁମତି ହେଇଥିଲେ । ଏହାକୁ ନେଇ ଜନସାଧାରଣ ଅନଶନ ସହିତ ଧାରଣା ଦେଇ ପ୍ରତିବାଦ କରିଥିଲେ । ପରେ ଏହି ପଡ଼ିଆରୁ ପୁଣି ଅଗ୍ନିଶମ କାର୍ଯ୍ୟାଳୟ ସହିତ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଥିଲା । ରାଜକନିକା ତହସିଲରେ ଶହଶହ ଏକର ସରକାରୀ ଜମି ରହିଥିଲେ ମଧ୍ୟ ତହସିଲଦାର ସଦର ପଡ଼ିଆ ଉପରେ ସବୁବେଳେ ଦୃଷ୍ଟି କରୁଛନ୍ତି । ଅଚିନ୍ତା ମୌଜାରେ ୧୪ ଏକର ସରକାରୀ ଜମି ରହିଥିବା ବେଳେ ବସ ଷ୍ଟାଣ୍ଡ ପାଇଁ ଆରସା ମୌଜାରେ ଏକର ଜାଗା ରହିଛି । ହେଲେ ତହସିଲଦାର ତାହା ନକରି କନିକାର ଐତିହାସିକ ପଡ଼ିଆକୁ ନଷ୍ଟ କରିବାକୁ ଚକ୍ରାନ୍ତ କରୁଥିବାର ଅଂଚଳବାସୀ ଅଭିଯୋଗ କରୁଛନ୍ତି । ଯେଉଁ କାରଣରୁ ଏହି ପଡ଼ିଆ ଏବେ ନିଜର ସତ୍ତା ହଜାଇବାକୁ ବସିଛି । ୨୦୦୯ ମସିହାରେ ରାଜକନିକାରେ ଘଟିଥିବା ଟର୍ଣ୍ଣାଡ଼ୋ(ଘୂର୍ଣ୍ଣିଝଡ)଼ରେ ୧୭ଟି ଜୀବନ ଅକାଳରେ ଚାଲିଯାଇଥିଲା । ଏହି ସମୟରେ ରାଜକନିକାରେ ତତ୍କାଳ ରିଲିଫ୍ ସହାୟତା ପାଇଁ ପହଂଚିଥିଲେ ପ୍ରାକ୍ତନ ଭାରତର ଗୃହମନ୍ତ୍ରୀ ଏଲ୍‌କେ ଆଡ଼ଭାନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଭି ନାରାୟଣ ସ୍ୱାମୀ,ପ୍ରାକ୍ତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ବହୁ ନେତା ଏବଂ ସରକାରୀ ଅଧିକାରୀ ଗୋଟିଏ ଦିନରେ ୭ଟି ହେଲିକେପ୍ଟରରେ ରେ ଓହ୍ଳାଇଥିଲେ । ବଡ଼ ପଡ଼ିଆ କାରଣରୁ ଏହା ସମ୍ଭବ ହୋଇପାରିଥିଲା । ସେହିଭଳି ୧୯୮୦ରେ ଭାରତର ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଏହି ପଡ଼ିଆରେ ହେଲିକେପ୍ଟର ଯୋଗେ ଓହ୍ଲାଇ ସାଧାରଣ ସଭା କରିଥିଲେ । ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ବହୁବାର ଏହି ପଡ଼ିଆରେ ରାଜନୈତିକ ସଭା କରିଛନ୍ତି । ଏହା ସହିତ ବିନୋବା ମଧ୍ୟ ଏହି ପଡ଼ିଆରେ ଭୁଦାନ କାର୍ଯ୍ୟକ୍ରମ କରିଥିବାର ଐତିହାସିକ ତଥ୍ୟାବଳୀ ରହିଛି । ହେଲେ ଏଭଳି ବୃହତ୍ତ ପଡ଼ିଆକୁ ସୁରକ୍ଷିତ ଭାବେ ରଖିବା ବଦଳରେ ଏହାକୁ ନଷ୍ଟଭ୍ରଷ୍ଟ ରୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଳିର ପ୍ରାକ୍ତନ ବିଧାୟକ ଦେବେନ୍ଦ୍ର ଶର୍ମା ଏହି ପଡ଼ିଆର ସୁରକ୍ଷା ପାଇଁ ପଡ଼ିଆର ତିନିପଟେ ପ୍ରାଚୀର ନିର୍ମାଣ କରିଛନ୍ତି । ହେଲେ ଯେଉଁ ଗୋଟିଏ ପଟେ ନିର୍ମାଣ ବାକି ରହିଛି ସେହି ପଟେ ଏବେ ନିର୍ମାଣ ପାଇଁ ପଡ଼ିଆକୁ ଖୋଳା ଚାଲିଛି । ଏହି ପଡ଼ିଆକୁ ସୁରକ୍ଷିତ ରଖିବାକୁ କ୍ରୀଡ଼ାବିତ୍‌, ବୁଦ୍ଧିଜୀବୀ ଏବଂ ଅଂଚଳବାସୀ ଦାବି କରିଛନ୍ତି । ତୁରନ୍ତ ଏହି ପଡ଼ିଆରୁ ବସଷ୍ଟାଣ୍ଡ ଏବଂ କୋର୍ଟକୁ ଅନ୍ୟ ସରକାରୀ ଜାଗାକୁ ସ୍ଥାନାନ୍ତରିତ ନକଲେ ଜନ ଆନ୍ଦୋଳନ ସୃଷ୍ଟି ହେବା ନେଇ ଚେତାବନୀ ଦେଇଛନ୍ତି ।

dologobinda nayak ex mla Rajkanika

  ‘କଣ୍ଟପଡ଼ା ପଡ଼ିଆକୁ ସଙ୍କୁଚିତ ଏବଂ ବିକୃତ କରାଯାଉଛି’
-ଦୋଳଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ତଥା ସଭାପତି ରାଜକନିକା ଆଥ୍‌ଲେଟିକ୍ ଆସୋସିଏସନ୍ ।
ଅଚିନ୍ତା ମୌଜାରେ ୧୪ ଏକର ଜାଗା ରହିଛି । ଏହା ସହିତ ପାଖାପାଖି ବହୁ ଜାଗା ରହିଛି, ହେଲେ ତାହା ନକରି ସରକାରୀ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଐତିହାସିକ ପଡ଼ିଆକୁ ସୁରକ୍ଷା କରିବା ବଦଳରେ ନଷ୍ଟ କରିବାକୁ ବସିଛନ୍ତି । କଣ୍ଟପଡ଼ା ପଡ଼ିଆକୁ ସଙ୍କୁଚିତ ଏବଂ ବିକୃତ କରାଯାଉଛି । ଏଭଳି କାର୍ଯ୍ୟ କରିବା ପୂର୍ବରୁ ସବୁ କଥା ଚିନ୍ତା କରିବା କଥା । ହେଲେ ତାହ ନକରି ତରବରିଆ ଭାବେ ପଡ଼ିଆକୁ ନଷ୍ଟ କରାଯାଉଛି ।

debendra sarma exmla aul Rajkanika

‘ଆମ ଐତିହ୍ୟ, ଗୌରବ ସହିତ ଜଡ଼ିତ ଏହି ପଡ଼ିଆକୁ ସୁରକ୍ଷିତ ରଖାଯାଉ’

-ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଆଳି ।
ରାଜକନିକାରେ ବସ୍ ଷ୍ଟାଣ୍ଡ ଏବଂ କୋର୍ଟ ହେବା ଦରକାର । ହେଲେ ତାହା କଣ୍ଟପଡ଼ା ପଡ଼ିଆରେ କରାନଯାଉ । ଅନ୍ୟ ଜାଗାକୁ ନିଆଯାଉ । ଆମ ଐତିହ୍ୟ, ଗୌରବ ସହିତ ଜଡ଼ିତ ଏହି ପଡ଼ିଆ କେନ୍ଦ୍ରାପଡ଼ା ଜିଲାରେ ଆଉ କେଉଁଠି ନାହିଁ । ଏହି ପଡ଼ିଆରେ ସ୍ଫୋଷ୍ଟ କମ୍ପେକ୍ସ କରାଯିବା ଦରକାର । ଯଦି ବିଧାୟକ ଚାହୁଛନ୍ତି, ତେବେ ସ୍ଫୋଷ୍ଟ କମ୍ପେକ୍ସ କରନ୍ତୁ । ମୋ ସମୟରେ ପଡ଼ିଆକୁ ତିନିପଟେ ପ୍ରାଚୀର ନିର୍ମାଣ କରିଥିଲି । ଅର୍ଥ ଅଭାବରୁ ଗୋଟିଏ ପଟେ ବାକି ରହିଥିଲା ।

Tahasidar premananda behera Rajkanika
 ‘ବସଷ୍ଟାଣ୍ଡ ହେବ କୋର୍ଟ ଅନ୍ୟଜଗାକୁ ସ୍ଥାନାନ୍ତରିତ ହେବ’

-ପ୍ରେମାନନ୍ଦ ବେହେରା, ତହସିଲଦାର କନିକା ।
ରାଜକନିକାରେ ବସ୍ ଷ୍ଟାଣ୍ଡ ଏବଂ କୋର୍ଟ ପାଇଁ କଣ୍ଟପଡ଼ା ପଡ଼ିଆରେ ଜମି ଯୋଗାଇ ଦିଆଯାଇଛି । ବସଷ୍ଟାଣ୍ଡ ନିର୍ମାଣ ହେବ । ହେଲେ କୋର୍ଟ କଥା ବିଚାର ଚାଲିଛି । ତାହା ପରିବର୍ତ୍ତନ କରାଯିବ । କେଉଁ ଜାଗାରେ କୋର୍ଟ ହେବ ତାହା ଜିଲାପାଳ ଏବଂ ମନ୍ତ୍ରୀ ସେ ନିଷ୍ଫତି ନେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!