ସମ୍ବଲପୁର ,୨୫/୦୯ : ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ|ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ। ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ରବିବାର ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେଶନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ । ଏହି ଅବସରରରେ ମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ଖୁବ ଶୀଘ୍ର ଏକ ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ। ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |