ଖଣ୍ଡପଡ଼ା, ୨୪/୦୨ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ବୁଧବାର ସନ୍ଧ୍ୟାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଛି। ଏଥିରେ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ (୩୮) ନାମକ ଯୁବକଙ୍କର ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ ବୁଧବାର ସନ୍ଧ୍ୟାରେ ତାଙ୍କର ଦୁଇ ବନ୍ଧୁଙ୍କ ସହ ବାଇକ୍ ଯୋଗେ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଉକ୍ତ ଗ୍ରାମର ନରେଶ ମାଝୀ (୩୮) ଓରଫ କାମେନା ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବାଟ ଓଗାଳିଥିଲା। ପ୍ରଶାନ୍ତ ଏବଂ ତାଙ୍କ ବନ୍ଧୁ ତାଙ୍କୁ ବିରୋଧ କରିବାରୁ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ନରେଶ ଅତର୍କିତ ଭାବେ ଦୁଇଟି ବୋମା ମାଡ଼ କରିଥିଲା। ଫଳରେ ଗୋଟିଏ ବୋମା ସିଧାସଳଖ ଭାବରେ ପ୍ରଶାନ୍ତଙ୍କ ମୁଣ୍ଡରେ ବାଜିଥିଲା। ବୋମାମାଡ଼ ଯୋଗୁଁ ପ୍ରଶାନ୍ତଙ୍କ ଖପୁରୀ ଉଡି ଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଖଣ୍ଡପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ଖଣ୍ଡପଡ଼ା ଥାନାଧିକାରୀ ବିଶ୍ୱଜିତ ରାଉତରାୟ ସଦଳେବଳେ ପହଞ୍ଚିବା ସହ ଘଟଣାର ତଦନ୍ତ କରିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଗ୍ରାମରେ ନିର୍ବାଚନ ଯୋଗୁଁ ପୁଣି ହିଂସାକାଣ୍ଡ ଘଟିବାର ସମ୍ଭାବନା ଦେଖାଦେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |