ପଟ୍ଟାମୁଣ୍ଡାଇରେ ଅଘଟଣ: ବାପାଙ୍କ ଶୁଦ୍ଧି କାମରେ ପୋଖରୀରେ ବୁଡ଼ି ଗଲେ ୨ଭଉଣୀ

ପଟ୍ଟାମୁଣ୍ତାଇ୧୬/୯: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅରୁଆରେ ବାପାଙ୍କ ଶୁଦ୍ଧିକ୍ରିୟାରେ ଗାଧୋଇବାକୁ ଯାଇଥିବାବେଳେ ୨ଭଉଣୀ ପୋଖରୀରେ ବୁଡ଼ି ଯାଇଛନ୍ତି। ୨୦ ବର୍ଷର ସା‌ନ ଭଉଣୀଙ୍କର ମୃତ୍ୟୁ ଘଟିଥିବାବେଳେ ୨୨ବର୍ଷର ବଡ଼ ଭଉଣୀଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି।  ଏହି   ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।  ଅରୁଆ ଗ୍ରାମର ସ˚ଜୟ ନନ୍ଦି(୫୦) ଗତ ଏକବର୍ଷ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କର ୨୨ ବର୍ଷ ଓ ୨୦ ବର୍ଷର ଦୁଇଝିଅ ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ପୁଅ ଅଛନ୍ତି। ବାପା ଶଯ୍ୟାଶାୟୀ ହେବାପରେ ସାନଝିଅ ଭବାନୀ ହାଇଦ୍ରାବାଦରେ ସିଲେଇ କାମ କରି ପରିବାରର ଭରଣପୋଷଣ କରିବା ସହ ବାପାଙ୍କ ଚିକିତ୍ସା କରାଉଥିଲେ। ହେଲେ, ସବୁ ଉଦ୍ୟମ ୧୦ ଦିନ ତଳେ ବାପା ସ˚ଜୟ ଉପଯୁକ୍ତ ଚିକିତ୍ସା ନପାଇ ଆଖି ବୁଜିଥିଲେ। ଆଜି ତାଙ୍କର ଦଶାହ ଶୁଦ୍ଧିକ୍ରିୟା ଥିଲା। ବଡ଼ଝିଅ ଶିବାନୀ, ସାନଝିଅ ଭବାନୀ ଓ ଅନ୍ୟଜଣେ ସ˚ପର୍କୀୟ ଭଉଣୀ ମିଶି ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବାବେଳେ ହଠାତ ଭବାନୀ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶିବାନୀ ମଧ୍ୟ ବୁଡି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ସମ୍ପର୍କୀୟ ଭଉଣୀ ପାଟି କରି ଡାକ ପକାଇବାରୁ ପୋଖରୀ ହୁଡ଼ାରେ ବସିଥିବା ଗାଁ ଲୋକମାନେ ପୋଖରୀ ଭିତରକୁ ଡେଇଁପଡ଼ି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ଭିତରେ ସେମାନେ ବଡ଼ଭଉଣୀ ଶିବାନୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସାନଭଉଣୀ ଭବାନୀ ଅଧିକ ଗଭୀରକୁ ଚାଲିଯାଇଥିବାରୁ ତାଙ୍କୁ ଉଦ୍ଧାର କରିପାରି ନଥିଲେ। ଖବର ପାଇ ପଟ୍ଟାମୁଣ୍ତାଇରୁ ଦମକଳବାହିନୀ ପହଞ୍ଚି ଗାଁ ଲୋକଙ୍କ ସହଯୋଗରେ ଭବାନୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ତାଇ ମେଡିକାଲକୁ ଆଣିଥିଲେ। ତେବେ, ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିବା ଡାକ୍ତର ଘୋଷଣା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!