ବରଗଡ଼,୧।୧୨: ୦୧/୧୦: ପଦ୍ମପୁର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ରାତିରେ କ୍ୟାବିନେଟ୍ ବସାଇ ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲା ମାନ୍ୟତାର ମଞ୍ଜୁର ଦେବା ସହ ଆସନ୍ତାକାଲି ଏହାର ବିଜ୍ଞପ୍ତି ଚିଠା ପଦ୍ମପୁରରେ ଦେଖାଇବେ କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଚାର ସମୟରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଶିକ୍ଷକମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍କୁଲ ପିଲା ମାନଙ୍କର ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି । ସ୍ଥାୟୀ ନିଯୁକ୍ତି ନାହିଁ । ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଉଛି । ପ୍ରଚାର କାର୍ଯ୍ୟକ୍ରମର ତୃତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ, ବରିହାପାଲି, ଜାମଲା, ମେଲଛାମୁଣ୍ଡା ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯୋଗଦେବା ସହ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି। ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ପାଇଁ ଆସିବେ। ସେ କହିଛନ୍ତି, ବିଜେଡ଼ି ଦଳର ସଭାପତି ଭାବରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ପ୍ରତିଶ୍ରୁତି ନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ରାତିରେ ଏଥିପାଇଁ କ୍ୟାବିନେଟ୍ ବସାନ୍ତୁ। କ୍ୟାବିନେଟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ମଞ୍ଜୁର ପ୍ରଦାନ କରନ୍ତୁ। ଏହାସହ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ଆସିବା ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ କରିବାର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ ଏବଂ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରିବା ନେଇ ଆମ ଦଳର ଅପେକ୍ଷା ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ସେ ଏଭଳି ପଦକ୍ଷେପ ନେଇପାରିବେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ସ୍କୁଲ ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି। ସ୍ଥାୟୀ ନିଯୁକ୍ତି ନାହିଁ। ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଉଛି।ଧାନ, ଜଳସେଚନ, ରୋଜଗାର, ଇନପୁଟ ସବସିଡି ନମିଳିବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନଦେବାର ଲମ୍ବା ତାଲିକା ଅଛି । ଏହି ଅଞ୍ଚଳରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଦୀର୍ଘ ୨୨ ବର୍ଷ ଶାସନରେ ଯେଉଁମାନେ କାମ ଖଣ୍ଡେ ଯୋଗାଡ କରିପାରିଲେ ନାହିଁ, ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ପାଣି ମୁନ୍ଦେ ପହଞ୍ଚାଇପାରିଲେ ନାହିଁ, ସେମାନେ ଆଜି ମିଛ ସୁଆଙ୍ଗ ରଚୁଛନ୍ତି । ସବୁଠି ଅବ୍ୟବସ୍ଥା ଦେଖାଯାଇଛି । ୨୨ ବର୍ଷରେ ଯେଉଁମାନେ ଏହି ଅଞ୍ଚଳକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପଦ୍ମପୁରବାସୀ ଜବାବ୍ ଦେବେ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ପଦ୍ମପୁରବାସୀ ୨୨ ବର୍ଷର ପ୍ରତାରଣାର ନିର୍ଣ୍ଣାୟକ ମତ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |