ଭୁବନେଶ୍ୱର ,୧୯।୩: ରାଜ୍ୟର ଜଣେ ପୂର୍ବତନ ରାଜନେତାଙ୍କ ପରଲୋକ ଘଟିଛି । ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ ଆଉ ନାହାନ୍ତି । ୭୪ ବର୍ଷରେ ଶ୍ରୀ ପାଣ୍ଡେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଲିଭର ଜନିତ ରୋଗରେ ପୀଡ଼ିତ ରହିଥିଲେ । ଗତ ୧୬ ତାରିଖରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲାର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ବୃଥା ଯାଇଥିଲା । ଆଜି ଭୋର ୪ଟା ସମୟରେ ଶ୍ରୀ ପାଣ୍ଡେଙ୍କର ଦେହାନ୍ତ ହୋଇଥିଲା ।ବିରେନ୍ଦ୍ର ରାଜ୍ୟ ରାଜନୀତିରେ ଜଣେ ପରିଚିତ ଚେହେରା । ସେ ଦୀର୍ଘବର୍ଷ ଧରି କଂଗ୍ରେସ ସହିତ ସାମିଲ ଥିଲେ । ସେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୮୦, ୧୯୮୫ ଓ ୧୯୯୫ରେ କଂଗ୍ରେସ ଟିକେଟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଲା । ମୃତ୍ୟୁବେଳକୁ ତାଙ୍କ ନିକଟରେ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବହୁ ପ୍ରଶାସକ, ସାମ୍ବାଦିକ, ବନ୍ଧୁ ପରିଜନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |